ରାତି ୨ଟା ୩୦ ମନିଟ୍, କିମ୍ସ ହସ୍ପିଟାଲ ଏମଆଇସିୟୁ ବେଡ଼ ନଂ ୧୦; ସମସ୍ତେ ଶୋଇପଡ଼ିଛନ୍ତି ଯେ ଯାହାର । କିଏ ତଳେ ତ କିଏ ଖାଲି ଥିବା ଶଯ୍ୟାରେ । ଦିନ ସାରା ପରିଶ୍ରମ କରି ପାଖ ଚୌକିରେ ଘୁମେଇ ପଡ଼ିଛି ସାନଭାଇ । ହେଲେ ମୋ ଆଖିକୁ ନିଦ ନାହିଁ । ସାରାଦିନ ଏ ହସ୍ପିଟାଲରୁ ଆର ହସ୍ପିଟାଲ ଦୌଡ଼ି ଦୌଡ଼ି, ନଖାଇ ନ ପି’ ଟିକେ ହାଲିଆ ବି ଲାଗୁନି । ମୋ ଆଖି ଆଗରେ ନିର୍ବିକାର ହୋଇ ଶୋଇରହିଛି ମୋ ମା’ । ଠିକ ଛୋଟ ଶିଶୁଟିଏ ପରି । ହାତରେ ସାଲାଇନ ନଳି, ନାକରେ ଫିଡର୍ ନଳି ଆଉ ବେଡ୍ କଡ଼ରେ ବନ୍ଧା ହେଇଚି ଗୋଟେ ହାତ, କାଳେ ହଲଚଲ ହେବ ସେଥିପାଇଁ । ମୋ ମା’, ପୃଥିବୀର ସବୁଠାରୁ ପ୍ରିୟତ୍ତମ ମଣିଷ, ଯାହାକୁ ମୁଁ ସବୁଠୁ ବେଶୀ ଭଲପାଏ, ବୋଧହୁଏ ଭଗବାନଙ୍କ ଠାରୁ ଅଧିକ, ସେ ମୋ ଆଗରେ ଆଜି ଏମିତି ଅବସ୍ତାରେ ! ଅମାନିଆ ଲୁହ ଦୁଇଧାର ମୋ ଅଜଣାରେ କେତେବେଳେ ବୋହି ଗଲା ଜାଣି ପାରିଲିନି ।
ଛୋଟବେଳ କଥାସବୁ ନାଚି ଯାଉଥିଲା ଆଖିଆଗରେ । ହାତ ପାପୁଲିକୁ ଉଠେଇ ମୋ ହାତ ଉପରେ ରଖିଲି, ନିସ୍ତେଜ ଲାଗିଲା । ଏ ସେଇ ହାତ, ଯାହାକୁ ଧରି ମୁଁ ଚାଲିବା ଶିଖିଥିଲି, ପ୍ରଥମ ଖଡି ସ୍ପର୍ଶରେ ‘ବ୍ରହ୍ମା-ବିଷ୍ଣୁ-ମହେଶ୍ଵର’ ପଢ଼ିଥିଲି, ଦୁଷ୍ଟ ହେଲେ କାନ ମୋଡ଼ା ଖାଇଥିଲି, ଆଉ ଆଜି ବି ଯୋଉ ହାତର ଗୁଣ୍ଡେ ଭାତ ଅମୃତ ପରି ଲାଗେ, ସେ ଆଜି ନିସ୍ତେଜ !!ଅଖିର ଧାର ଏଥର ଦୁଷ୍ଟ ହେଇ ଉଠିଲେ । ମୁଁ ବି ଆଉ ଚେଷ୍ଟା କଲିନି ରୋକିବାକୁ । ହାତକୁ ନେଇ ଗାଲରେ ଚାପିଧରିଲି କିଛି ସମୟ ଆଉ ଓଠରେ ମାପିବାକୁ ଚେଷ୍ଟାକଲି ତା ଶିତଳତା କୁ । ନର୍ସ ଦିଦିଂକ ଡାକରେ ସଂଜ୍ଞା ଫେରି ଚାହିଁଲି, ସାଲାଇନ ବଦଳ ହେବା ସମୟ ହେଇଯାଇଥିଲା ଯେ !
ମା’ ଲୋ, ଯେତେବେଳେ ତୋ ଦେହରେ ଛୁଂଚି ଫୋଡା ହେଉଥିଲା ମୋତେ କଷ୍ଟ ହେଉଥିଲା । ଯେତେବେଳେ ତୋ ଦେହରୁ ସିରିଂଜ ସିରିଂଜ ରକ୍ତ ନେଉଥିଲେ, ମୋ ଛାତି ଭିତରଟା ସାରା ରକ୍ତରେ ଭିଜୁଥିଲା ଲୋ ! ମୁଁ ଅଣନିଶ୍ୱାଷୀ ହୋଇ ଉଠୁଥିଲି ଯେତେବେଳେ ତୋ ନାକରେ ସେ ନଳୀ ଭରୁଥିଲେ । ଆଉ ତୁ ଯେତେବେଳେ କଷ୍ଟ ରେ କଡ ଲେଉଟାଉଥିଲୁ ମୋ ଆଖିରୁ ଲୁହ ଝରୁଥିଲା ମା’… । ସମସ୍ତେ କୁହନ୍ତି ମୁଁ କୁଆଡେ ଖୁବ କଠିଣ ହେଲେ ଦେଖ ଆଜି ତୋ ଆଗରେ କେମିତି ଖଣ୍ଡ ଖଣ୍ଡ ହେଇ ଚୁରମାର ହେଇଯାଉଚି । ଥରେ ତ ଆଖି ଖୋଲି ଦେଖ । ହେ ମା’, ମା’ ଲୋ, ଦେଖ ତ ଟିକେ । କେତେ କଥାହଉ ମୋ ସହ ହେଲେ ଆଜି ତୁ ଏତେ ଚୁପ କାହିଁକି ? କହ ଥରେ…ହେ ମହାବାହୁ ! ହେ କାଳିଆ ଠାକୁର !! ମୋ ମା’ କୁ ଶୀଘ୍ର ଭଲ କରିଦିଅ…ଶୀଘ୍ର ଭଲ କରିଦିଅ…ଶିଥିଳ ପଡିଥିବା ହାତ ପୁଣି ଚଳଚଂଚଳ ହୋଇଉଠୁ, ଶୀତଳ ସ୍ନାୟୁ ପୁଣି ଉଷ୍ମ ହୋଇଉଠୁ । ପୁଣି ଶୁଖିଲା ଓଠରେ ହସ ଧାରେ ଫୁଟି ଉଠୁ…
- ତାପସ ରଞ୍ଜନ
No comments:
Post a Comment