New

Post Top Ad

Shubhapallaba free eMagazine and online web Portal

Saturday, December 24, 2022

ସ୍ମୃତିରେ ଅଖିଳ ଭାଇନା

Smrutire Akhila Bhaina (ସ୍ମୃତିରେ ଅଖିଳ ଭାଇନା)

– ହ୍ୟାଲୋ 

– ହଁ ତାପସ ! କୁହ। sorry ପହଞ୍ଚିଲା ପରେ ତମକୁ ଆଉ ଫୋନ କରିପାରିନି।

– ହଁ ଭାଇନା। ଆପଣଙ୍କ ଫୋନ ଆସିଲାନି ତ ଭାବିଲି ମୁଁ ହିଁ ଫୋନ କରିଦିଏ !

– ଟୁରିଷ୍ଟ ଆସିବା ଆରମ୍ଭ ହେଇଗଲେଣି ନା,ଟିକେ ବ୍ୟସ୍ତ ରହୁଛି। ସମୟ ମିଳୁନି ଜମା। ହେଲେ ତମେ ବ୍ୟସ୍ତ ହେବନି,ମଝିରେ ସମୟ ମିଳିଲେ ଫୋନ କରିବି ମୁଁ। ଆଉ ହଁ, ଏଥର ଫେବୃଆରୀରେ ଓଡ଼ିଶା ଗଲେ ତୁମ ଘରକୁ ଯିବି ନିଶ୍ଚେ ! ରହିଲି


ନଭେମ୍ବର ୯, ୨୦୧୭ ମସିହାରେ ଆପଣଙ୍କ ସହ ହୋଇଥିବା ସେଇ ମୋର ଶେଷ କଥା। ପୁରା ଦୁଇ ମାସ ଅପେକ୍ଷା କଲି,ହେଲେ ଆପଣ ଆସିଲେନି। ନା ଆସିଲା ଆପଣଙ୍କ ଫୋନ। ନୂତନ ବର୍ଷର ପ୍ରଥମ ଦିନରେ ଯେତେବେଳେ ସାରା ପୃଥିବୀ ଖୁସିରେ ନାଚୁଥିଲା, ସେତେବେଳେ ମୋ ପାଖେ ପହଁଚିଲା ଆପଣଙ୍କ ଚାଲିଯିବାର ଖବର। ପ୍ରଥମ କିଛି ମୁହୂର୍ତ୍ତ ତ ବିଶ୍ୱାସ କରି ପାରିଲିନି। ଭାଉଜଙ୍କୁ ଫୋନ କରି ଯେବେ ବୁଝିଲି,ସେତେ ବେଳକୁ ଆପଣ ଯିବାର ଅତିକ୍ରାନ୍ତ ହୋଇସାରିଥିଲା ଦୀର୍ଘ ୪୨ ଦିନ। କାଞ୍ଚନଜଙ୍ଘାର ଶୁଭ୍ର ଛାୟାର ମୋହରେ ଏତେ ଶୀଘ୍ର ପଡ଼ିଗଲେ ଭାଇନା? ଏକୁଟିଆ ଗଲାବେଳେ ଆମକଥା କଣ ଟିକେ ବି ମନେ ପଡ଼ିଲାନି? ଥରେ ବି ଭାବିଲେନି ଦୁନିଆଁ ଯାକର କଥା ନିଧଡକ କାହାସହ ଗପିବ ଏ ସାନ ଭାଇ ଟା ? କାହାକୁ କହିବ ସେ ନିଜ ମନର ଅକୁହା କଥା ??? ବାଷ୍ପ ହୋଇ ତଣ୍ଟି ପାଖରେ ଅଟକି ରହିଥିବା ମନର କୋହ ଘନୀଭୂତ ହୋଇ ଆଖିଦେଇ ବାହାରି ଆସୁଥିଲା ମୋ ଅଜାଣତରେ। ଆଉ ତା ସହ ଚଳଚ୍ଚିତ୍ରର ଦୃଶ୍ୟପଟ ଭଳି ପୁରୁଣା ଦିନର କଥାସବୁ ନାଚିଯାଉଥିଲେ ଗୋଟି ଗୋଟି ହୋଇ।

କାକଟପୁରରେ ଆପଣଙ୍କସହ ପ୍ରଥମ ସାକ୍ଷାତ ମନେଅଛି ଭାଇନା ? ହାତରେ ଖଣ୍ଡେ ଓଡ଼ିଆ ଖବର କାଗଜ ଆଉ ପାଣି ବୋତଲ ଧରି,ଆଖିରେ ପାୱାର ଚଷମା ପିନ୍ଧା ସାଢ଼େ ଛ’ ଫୁଟର ନହନହକା ଲୋକଟିଏ ଯେବେ ବିଶ୍ୱାଳ ବସରୁ ଓହ୍ଲେଇଲେ,ଜାଣିବାକୁ ଡେରି ଲାଗିଲାନି କି ଇଏ ହିଁ ସେହି ସମସ୍ତଙ୍କର ଆପଣାର ନାକଟା ଚିତ୍ରକର – ଅଖିଳ ନାରାୟଣ ଦାସ। ଓଠରେ ସବୁବେଳେ ଚେନାଏ ହସ ଖେଳାଇ ସମସ୍ତଙ୍କ ସହ ସହଜରେ ମିଶିପାରୁଥିବା ସେଇ ଲୋକଟିକୁ ଦେଖିଲେ ଲାଗୁଥିଲା ସତେ ଯେମିତି ତାଙ୍କୁ କେବଳ ଖୁସି ବାଣ୍ଟି ଆସେ,ଭଲ ପାଇ ଆସେ ! ସେଦିନର ପ୍ରଥମ ସାକ୍ଷାତ ତଥା ଅଳ୍ପ କେତେ ସମୟର ବର୍ତ୍ତାଳାପରୁ ପ୍ରତିତହେଲା ସତେ ଯେମିତି ଆପଣ ମତେ ଅନେକ ଦିନରୁ ଜାଣିଛନ୍ତି !! ସେମିତି ହିଁ ଥିଲେ ଆପଣ। ସମସ୍ତଙ୍କୁ ଆପଣାର କରିନେଉଥିବାର ମଣିଷଟିଏ।

ଏହାପରେ ଅନେକ ଥର ସାକ୍ଷାତ ହୋଇଛି ଆପଣଙ୍କ ସହ। କେବେ ଗୋପ ବଜାରରେ ତ କେବେ ଭୁବନେଶ୍ବସରରେ ତ କେବେ ଆମ ଘରେ। ପ୍ରତ୍ୟେକ ଥର ଆପଣ ଦେଇ ଯାଉଥିଲେ ବହୁତ ଭଲପାଇବା ଆଉ ମେଞ୍ଚାଏ ସ୍ମୃତି। ଯାହାକୁ ଗୁନ୍ଥି ଗୁନ୍ଥି ମୁଁ ସଜେଇଛି ସୁନ୍ଦର ମାଳା ଟିଏ। ଜାଣିଛନ୍ତି ଭାଇନା,ଆଜି ବି ଆମ କେନାଲ ବନ୍ଧର ପାର ମାଉସୀ ଆପଣଙ୍କ କଥା ମନେପକାଏ। ସେଦିନ ସନ୍ଧ୍ୟାରେ ଆପଣ ତାକୁ ଶିଖେଇଥିବା ପାଳକ ପକୁଡ଼ି ଏବେ ବି କରେ ସେ। ସେଦିନ କଥା ମନେପକେଇଲେ ଆଜିବି ଓଠରେ ହସ ଖେଳିଯାଏ। ପାର ମାଉସୀ ସହ ଆପଣ ଗପୁଥିଲେ ଆଉ ଆମେ ପଛରୁ ଚୋରେଇ ଚୋରେଇ ତା ଥାଳିରୁ ପକୁଡ଼ି ଖାଉଥିଲୁ। ଖାଲି ଥାଳି ଦେଖି ତାର ଯୋଉ ଗାଳି !! ଆପଣ ଥିଲେ ବୋଲି ସବୁ ସମ୍ଭାଳି ନେଲେ ନହେଲେ ଅବସ୍ଥା ଯାହା ହେଇଥାନ୍ତା ନା ! ଏତେ ସବୁ ପରେ ଆସିଲାବେଳେ ତା’ ହାତରେ ଟଙ୍କା ଦୁଇଶହ ଗୁଞ୍ଜିଦେଇ ଆସିବାକୁ ମୁଁ ଦୂରରୁ ଥାଇ ଲକ୍ଷ୍ୟ କରୁଥିଲି ଆଉ ଭାବୁଥିଲି ସତରେ କେତେ ଦରଦୀ ଲୋକ ଆପଣ !! ଶହେ ଟଙ୍କାର ପକୁଡିକୁ ଆପଣ ଦୁଇଶହ ଦେଇ ଚାଲି ଆସୁ ଆସୁ କହିଥିଲ, “ବିଧବା ଲୋକଟି ଜୀବିକା ପାଇଁ କେତେ କଷ୍ଟ କରୁଛି,ନଉ…”

ଆଉ ଗୋପ ବଜ଼ାର ପାକୁ ଦୋକାନୀ କଥା ମନେ ଅଛି ନା ? ତା’ର ପ୍ରସିଦ୍ଧ ଆଳୁ ଚପ ଆଉ ଘୁଗୁନି ଖାଇବାକୁ ଦେଲାବେଳେ ଯୋଉ କୋଇଲା ଧୂଆଁ ହେଉଥିଲା ! ତଥାପି ଖାଇବାରେ କି ନିଶା !! ଓଃ… ମନେ ପଡିଲେ ଆଜିବି ହସ ଲାଗେ। ହଁ ଆସିଲା ବେଳକୁ ତା’ର ମାଗଣା ବୁନ୍ଦିଆ ଲଡୁ କିନ୍ତୁ ବଢ଼ିଆ ଲାଗିଲା। ମୋର କିନ୍ତୁ ବେଶୀ ମନେପଡେ ଭୁବନେଶ୍ୱରରେ ଆପଣଙ୍କ ସହ ପଖାଳ ଖିଆ। ବାସି ପଖାଳକୁ କନ୍ଧମାଳ ଚୁନା ଆଳୁ ବେସର ଭଜା,କଲରା ଭଜା ଆଉ ଛତୁ ରାଈ। ଆଃ ! ପେଟେ ବାଡେଇ ହଲରେ ପଣଷ ଉପରେ ସେ ଯେଉଁ ସାରଗର୍ଭକ ଆଲୋଚନା !! ହା ହା ହା… ସତରେ ! ଆପଣ ଯେତିକି ଦରଦୀ ଥିଲେ,ଥିଲେ ସେତିକି ଖୁସି ମିଜାଜ୍। ଜୀବନର ଦୁଃଖ କଷ୍ଟରେ ଭିତରେ ସନ୍ତୁଳି ହେଉଥିଲେ ବି ଆପଣଙ୍କ ଓଠରେ ସବୁବେଳେ ଖେଳୁଥିଲା ଚିମୁଟାଏ ହସ। ଯାହାର ସମ୍ମୋହନରେ ସମ୍ମୋହିତ ହୋଇଯାଉଥିଲେ ସମସ୍ତେ।

ଆପଣ ଚାଲିଯିବାର ଆଜକୁ ଠିକ ବର୍ଷେ ପୁରିଗଲା। ଟ୍ୱିଟରରେ ଆଗଭଳି ଆଉ ଆପଣଙ୍କ ଗମ୍ଭୀର ଟ୍ୱିଟ ସବୁ ଆଉ ଆସୁନି, କି ଆସୁନି ମଜାଳିଆ ବ୍ୟଙ୍ଗାତ୍ମକ ବ୍ଲଗ ପୋଷ୍ଟ,ଯାହାକୁ ଝୁରି ହେଉଛନ୍ତି ମୋ ପରି ଅନେକ। ଏବେ ଖାଲି ଆପଣଙ୍କ ପୁରୁଣା ବ୍ଲଗ ଆପଣଙ୍କୁ ମନେପକେଇବା ଛଡା ଆଉ କିଛି ଉପାୟ ତ ନାହିଁ !! ଏତିକି କହିବି,ଆପଣ ଯେଉଁଠି ବି ଥାଆନ୍ତୁ,ଭଲରେ ଥାଆନ୍ତୁ ଆଉ ସମସ୍ତଙ୍କୁ ଖୁସି ବାଣ୍ଟୁ ଥାଆନ୍ତୁ। ସେଇ ନାକଟା ଚିତ୍ରକରର ଓଠରୁ ଯେମିତି ସେ ଖିଲି ଖିଲିଆ ହସ କେବେ ଲିଭି ନଯାଉ….

ଓଁ ଶାନ୍ତି


- ତାପସ

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba free eMagazine and online web Portal