New

Post Top Ad

Shubhapallaba free eMagazine and online web Portal

Thursday, December 15, 2022

ତ୍ରିନାଥ ମେଳା

Trinath Mela (ତ୍ରିନାଥ ମେଳା)

“ବା’ ! ସେ ବନୁ ଦାଦାଘର ଖୁଡ଼ି କ'ଣ ପାଇଁ ତତେ ଅପେକ୍ଷା କରିଛନ୍ତି ବାରି ଦୁଆର ମୁହଁରେ, ଟିକେ ଦେଖିଲୁ…”

ସନ୍ଧ୍ୟାରେ ବଜାରରୁ ସଉଦା ଆଣି ଘରେ ପସିବାର କିଛି ମୁହୂର୍ତ୍ତ ଯାଇଛି କି ନା, ମା’ର ପାଟି ଶୁଭିଲା। ବ୍ୟାଗକୁ ଭିତରେ ରଖି ବାରି ଦୁଆରକୁ ଯାଇ ଦେଖେ ତ ସତକୁ ସତ ସେଇଠି ବସିଥିଲେ ବନୁ ଦାଦାଘର ଖୁଡ଼ି।

– ସଞ୍ଜବେଳ ମୁହଁଅନ୍ଧାରରେ ଏଇଠି କାଇଁ ବସିଛନ୍ତି ଖୁଡ଼ି ? ଘରକୁ ଆସୁନାହାନ୍ତି…

– ନାଇଁ ପୁଅ,ସାନ ଝିଅକୁ ଘର ଜଗେଇ ଆଇଚି। ଜଲଦି ପଳେଇବି।ତମ ପାଖରେ ଟିକେ କାମ ଥିଲା ତ….

– କ'ଣ କହୁନାହାନ୍ତି

– ମନା କରିବନି ପୁଅ, ବଡ଼ ଆଶା ଘିନି ଆଇଚି (ଉଠିପଡ଼ି ମୋ ଆଗରେ ହାତ ଯୋଡ଼ି ଠିଆ ହେଲେ ସେ)

– ଆରେ ଆରେ, ଏ କଣ କରୁଛନ୍ତି ଖୁଡ଼ି, ମୁଁ ପରା ଆପଣଙ୍କଠାରୁ ସାନ! ମତେ ହାତ ଯୋଡ଼ିଲେ ମୋର ପରମାୟୁ କମିବନି? ଆଉ କୋଉ ମା’ କଣ ତା ପୁଅର ପରମାୟୁ କମ କରିବାକୁ ଚାହେଁ ? କୁହନ୍ତୁ,ମତେ କଣ କରିବାକୁ ହେବ…

– କଣ କହିବି ପୁଅ, ତମ ଦାଦା ଥିଲାବେଳେ ପାଞ୍ଚ ମେଳା ଯାଚିଥିଲେ। ଜୀବନ ଥାଉଁ ଥାଉଁ ତ ଗୋଟେ ବି କରି ପାରିଲେନି,ହେଲେ ମଲା ବେଳେ କହି ଯାଇଥିଲେ ମତେ। ‘ବୁଝିଲୁ ବବୁଲୁ ବୋଉ, ମୁଁ ଯାଚିଥିବା ପାଞ୍ଚ ମେଳା ତତେ ଲାଗିଲା।ଯାହା ଯେମିତି କରି ପୁରା କରିବୁ’। ବୁଲା ଭାଇନା ପାଖକୁ ଦୌଡ଼ି ଦୌଡ଼ି ସେ ଆସିଲେନି। ସେ ବରଜୁ,ବସୁଆ ପାଉକୁ ଧାଇଁ ଧାଇଁ ପାଦରୁ ପାଣି ମରିଗଲା ହେଲେ କେହି ରାଜି ହଉନଥିଲେ। ଆଜି ସକାଳୁ ବରଜୁ ଆସି ହଠାତ କହିଲା କି ଆଜି ମେଳା କରିବା ସବୁ ଯୋଗାଡି ରଖିଥା।ମୋ ଠୁ ଟଙ୍କା କୋଡ଼ିଏ ବି ନେଲା ଗଂଜେଇ ଆଣିବା ପାଇଁ। ତା କଥାକୁ ପରତେ ଯାଇ ସବୁ ସଜାଡ଼ିଲି। ମାଲପା,ଗଂଜେଇ,ଫୁଲ,ଦୁବ କୋଳିପତ୍ର,ଆମ୍ବ ଡାଳ,ପୂର୍ଣ୍ଣକୁମ୍ଭ ଆଉ ଯାହା ଯେମିତି ଫଳମୂଳ ପକେଇ ଚୂଡ଼ାଘସା ବି କଲି।

– ବାଃ! ତାହେଲେ ତ ଭଲ କଥା ଆଉ…

– କଣ ଭଲରେ ପୁଅ ! ମୋ କରମ ତ ପୋଡ଼ା ଆଉ କହିବି କାହାକୁ!

– କାଇଁ ? ପୁଣି କଣ ହେଲା କି ଖୁଡ଼ି ?

– ଗୋଠଫେରା ବେଳଠୁ ସେମାନଙ୍କ ପାଉକୁ ଦଉଡ଼ି ଦଉଡ଼ି ନୟାନ୍ତ ହେଲିଣି।ଏବେ କାହାରି ଦେଖା ନାଇଁ।ଏଇ ଟିକେ ଆଗରୁ ବସୁଆ ଦେଖାହେଇ କହିଲା,’ଆମେ ତମଘରେ ମେଳା କରି ପାରିବୁନି।କେହି ତମ ଘରକୁ ଯିବାକୁ ରାଜି ହଉ ନାହାନ୍ତି’ ମୁଁ ପଚାରିଲି କଣ ପାଇଁ ତ ସେ କହିଲା ଆମଘରେ କୁଆଡ଼େ ଠାକୁର ପୂଜା ହେଇ ପାରିବନି। ଆମେ ଅସବର୍ଣ୍ଣ ନା….


(‘ଅସବର୍ଣ୍ଣ’ ଏଇ ଶବ୍ଦଟି ପାଖରେ ଯେମିତି ଅଟକିଗଲେ ସେ। ମନର ସବୁ ଗ୍ଲାନି ସବୁ ଅଭିମାନ ଆଖିହେଇ ଝରି ଆସିଲା ଯେମିତି ! ଏତିକି କହି ପଣତ କାନିରେ ଆଖିର ଲୁହ ପୋଛିଲେ ସେ)


ମୋ ବାପାଟା ପରା,ତମେ ଟିକେ ଆସନ୍ତନି ! ବଡ଼ କଷ୍ଟରେ ଏତିକି ଯୋଗାଡ଼ିଚି,ବେଳ ଗଡି ଗଲେ ସବୁ ଅକାରଣ ହେଇ ଯିବ। ମା’ କହୁଥିଲେ ତମ ଘରେ ମେଳା ପେଡ଼ି ଅଛି ବୋଲି।ନେଇ କି ଟିକେ ଚାଲନ୍ତନି ଆମ ଘରକୁ,ଠାକୁର ତମର ମଙ୍ଗଳ କରନ୍ତେ।


ଏତିକି କହି ଉତ୍ତର ଅପେକ୍ଷାରେ ମୋ ମୁହଁକୁ ଚାହିଁ ରହିଲେ ସେ ଉତ୍କଣ୍ଠାର ସହ। ଆଉ କିଛି ଭାବିବା ଆଗରୁ ଘଣ୍ଟା ଦେଖିଲି,ସାତଟା ହେଲାଣି।ଏଇଟା ତ ରାତ୍ରର ପ୍ରଥମ ପ୍ରହର ! ଏଇ ସମୟରେ ମେଳା ନ କରି ଦ୍ଵିତୀୟ ପ୍ରହରରେ କରିବାରେ ଯେ କିଛି ମାନେ ନଥାଏ…

– ହଉ ଖୁଡ଼ି ତମେ ଆଉ ମନ କଳପନା କରନି,ଏଇ ମଝିଘରକୁ ଆସ। ଥାକ ଉପରୁ ମେଳା ପେଡ଼ି ଧରି ଚାଲ କି ମୁଁ ଟିକେ ମୁହଁ ହାତ ଧୋଇହେଇ ଯାଉଛି।

– ବା’, ମୁଁ ଛୁଇଁବି ?

– ଓଃ ହୋ ଖୁଡ଼ି ! ତମେ ନେଇକି ଗଲ… ମୁଁ ଏଇ ୫/୧୦ ମିନିଟ ରେ ଯାଇ ପହଞ୍ଚୁଚି।

ବାଧ୍ୟ କରିବାରୁ ମଝିଘର ଥାକରୁ ମେଳାପେଡ଼ି ଧରି ଆଗେ ଆଗେ ବାହାରିଗଲେ ସେ ଆଉ ମୁଁ ପଶିଲି ଗାଧୁଆଘର ଭିତରେ।ମୁହଁ ହାତରେ ପାଣି ଢାଳିହେଲି,କପଡ଼ା ବଦଳେଇ ମା’କୁ କହିଲି ଆଉ ମୋ ହାତ ଟର୍ଚ୍ଚଟି ଧରି ବାହାରି ପଡ଼ିଲି ତାଙ୍କ ଘର ଆଡ଼େ। ଆମ ଘରଠାରୁ ତାଙ୍କ ଘର ୫/୭ ମିନିଟର ପାଦଚଲା ବାଟ। ଉଛୁର ହେଇଯିବା ଭୟରେ ତର ତର ହେଇ ଯାଇ ପହଞ୍ଚିଲି ତାଙ୍କ ଘରେ।ଯାଉ ଯାଉ ନୁଆଁଣିଆ ଚାଳ ଛପର ଘର ଭିତରକୁ ଡାକିନେଲେ ଖୁଡ଼ି।ଛୋଟିଆ ଘର ହେଲେବି ଭିତରଟା ପରିଷ୍କାର ଲାଗୁଥିଲା।ସକାଳେ କୋଠା ଟି ଲିପା ହେଇଥିଲା କି କଣ, ସେ ଯାଏଁ ଗୋବରର ବାସ୍ନା ଯାଇନଥିଲା। କୋଠା ମଝିରେ ଗୋଟିଏ ଚିତାପକା ସୁନ୍ଦର ପିଢ଼ା ଆଉ ତା ପାଖକୁ ସଜାଡି ହୋଇ ଥାଏ ମେଳା ପେଡ଼ି,ଫୁଲ ଡାଲା ଆଉ ଭୋଗ ଥାଳି।ସେ ସବୁକୁ ଦେଖି ମନ ଭିତରଟା କେମିତି ଗୋଟେ ପବିତ୍ର ଭକ୍ତିରେ ପୁରି ଉଠୁଥାଏ। ଆଉ ବିଳମ୍ବ ନକରି ବବୁଲୁ (ଖୁଡ଼ିଙ୍କ ପୁଅ)କୁ କହିଲି ଆସ୍ଥାନ ବସେଇବାର ଗୋଟେ ପରେ ଗୋଟେ ବିଧି ଆଉ ମୁଁ କହିବା ଅନୁସାରେ ସବୁକୁ ସଜାଡ଼ି ରଖିଲା ସେ। ତା ପରେ ଆଉ ବିଳମ୍ବ ନକରି, ତ୍ରିନାଥଙ୍କୁ ଆବାହନ କରି,ହରିବୋଲ ପକେଇ ଆରମ୍ଭ କଲି..

“ଶୁଣ ସୁଜନେ ଦେଇ ମନ | ତ୍ରିନାଥ ମେଳାର ଆଖ୍ୟାନ 

ଶୁଣିବ ହୋଇ ଏକ ଚିତ୍ତ | ପଦ ପଦକେ ଏ ଅମୃତ…”

ବହି ପଢ଼ା ଆଗକୁ ବଢ଼ିବା ସହିତ ମୋ ପଛରେ ପଡିଶା ଘରର ଲୋକଙ୍କର ଗହଳି ବଢ଼ିଲା। ମଝିରେ ଅନୁଭବ କଲି ମୋ ସହ ପାଳିଧରି ଆହୁରି କିଏ ଗାଉଥିଲା ଆଉ ମଝିରେ ମଝିରେ ହରିବୋଲ ସାଙ୍ଗକୁ ହୁଳହୁଳି ପରିବେଶକୁ ଅଧ୍ୟାତ୍ମିକମୟ କରି ତୋଳୁଥିଲା। ଧୂପ ଦ୍ବୀପର ଗନ୍ଧରେ ସେ ଛୋଟିଆ କୁଡ଼ିଆଟି ଗୋଟେ ଛୋଟ ମନ୍ଦିରର ଭ୍ରମ ସୃଷ୍ଟି କରୁଥିଲା ମୋ ମନରେ।

“ସବୁ ଯେ ଆପଣେ କରିବ | ତ୍ରିନାଥ ଚରଣେ ପଡ଼ିବ

ସମସ୍ତେ ଏକମନେ ବସି | କଥା ଶୁଣିଣ ହେବ ତୋଷି

ପ୍ରସାଦ ବାଣ୍ଟିଣ ଖାଇବ | ଅଳ୍ପ ବହୁତ ନ କହିବ

ଏ ଗୀତ ହୋଇଲା ସମ୍ପୂର୍ଣ୍ଣ | ତ୍ରିନାଥ ବୋଲ ସର୍ବଜନ”

ଏତିକି ସାରି, ହରିବୋଲ ପକେଇ ପଛକୁ ଚାହିଁ ଦେଖେ ତ ଛୋଟିଆ ଘରଟିରେ ଲୋକ ପୂର୍ଣ୍ଣ। ଆଉ ମୋ ସହ ପାଳିଧରି ଗାଉଥିବା ତିନିଜଣ ଥିଲେ ସେଇ ବାଟ ଦେଇ ଯାଉଥିବା ତିନିଜଣ ପଥିକ। ମେଳା ବଢିଯିବାର ଖୁସି ଖୁଡ଼ିଙ୍କ ଆଖିରେ ଉକୁଟି ଉଠୁଥିବ ଆତ୍ମସନ୍ତୋଷରୁ ସ୍ପଷ୍ଟ ବାରି ହେଉଥିଲା। ଏତେ ଲୋକଙ୍କ ପାଇଁ ଯଦିଓ ଭୋଗ କମ ଥିଲା,ସମସ୍ତେ ମୁଠେ ମୁଠେ ଖାଇ ବି ଖୁସି ଥିଲେ ମେଳାଟିର ସଫଳ ପରି ସମାପ୍ତିରେ। ମୋ ବହି ବୋଲାର ପ୍ରଶଂସା କରି ଚାଲିଗଲେ ପଡ଼ିଶାଘର ଲୋକ ଆଉ ସେ ତିନିଜଣ ଅଜଣା ପଥିକ ବି।ଏଥର ଖୁଡ଼ି ପାଖକୁ ଆସି ଲୁହ ଛଳ ଛଳ ଆଖିରେ ମୋ ହାତ ଧରି କିଛି କହିବା ଆଗରୁ ମୁଁ କାହିଁଲି,

-ଥାଉ ଖୁଡ଼ି, ଆଉ କିଛି କୁହନ୍ତୁନି। ମୁଁ ସବୁ ବୁଝୁଛି। ଆର ଥରକୁ ଯେବେ ବି ତମର ସୁବିଧା ହେବ, ମା’ କୁ କହି ମେଳା ପେଡ଼ି ନେଇ ଆସିବ। ବବଲୁକୁ ସବୁ ବିଧି ବତେଇ ଦେଇଛି,ସେ ସବୁ କରିପାରିବ।ବହି ପଢ଼ି, ପାଣିଛଡ଼େଇ ମେଳା ବଢ଼େଇବ। କାହାକୁ ଡାକିବା ବା ଖୁସାମତ କରିବା ଦରକାର ନାହିଁ।ଆଉ ହଁ, ଠାକୁର ଉଚ୍ଚ ବର୍ଣ୍ଣର କପଟୀ ମାନଙ୍କ ପାଖରେ ନଥାନ୍ତି,ଥାଆନ୍ତି ତମ ଭଳି ସରଳ ଆଉ ନିଷ୍କପଟ ମାନଙ୍କ ପାଖରେ,ଘରେ।ସେଥିପାଇଁ କୋଉ ମନ୍ଦିର କି ସମାଜର ବଡ଼ ବଡ଼ିଆଙ୍କ ପିଣ୍ଡା ତଳକୁ ଯିବା ଦରକାର ନାହିଁ,ନିଜ ଘରେ ପାଣିଛଡ଼େଇ ମୁଣ୍ଡିଆ ମାରିଦେଲେ ଯଥେଷ୍ଟ।ତା ଛଡ଼ା ମନ ଚେଙ୍ଗା ତ ଗାଡ଼ିଆ ବି ଗଙ୍ଗା,ସରଳ ଆଉ ନିଷ୍କପଟ ମନରେ ଠାକୁରଙ୍କୁ ଡାକିଲେ ସେ ସବୁଠି ପହଞ୍ଚି ଯିବେ। ମେଳା ପେଡ଼ି ପାଇଁ ବ୍ୟସ୍ତ ହେବେନି,ବବଲୁ କୁ କହିବେ ସୁବିଧା ଦେଖି କାଲି ଘରେ ଦେଇ ଆସିବ।

ସେ ଆଉ କିଛି କହିବା ଆଗରୁ ବାହାରକୁ ବାହାରିଲି ମୁଁ। ଆଗକୁ ପାଦ ପକାଉଥିଲି ସିନା ମନଟା ମୋର ସେଇ ‘ଅସବର୍ଣ୍ଣ’ ଶବ୍ଦର ଚାରିପାଖେ ଘୁରି ବୁଲୁଥିଲା ଘିରି ଘିରି ହେଇ। ଆଜିର ଦିନରେ ବି ଏ ଶବ୍ଦ ଏତେ ପୀଡ଼ା ଦାୟକ ତାହା ଅନୁଭବ କରୁଥିଲି ଭିତରେ ଭିତରେ। ଆଜି ବି ଏ ସଭ୍ୟ ସମାଜର ବଡ଼ପଣ୍ଡା ମାନଙ୍କ ଆଗରେ ଏ ‘ବନୁଦାଦାଘର ଖୁଡ଼ି’ ମାନେ କେତେ ଅସହାୟ ସତରେ ! କାହିଁକି ସେମାନଙ୍କୁ ମନ୍ଦିରରେ ପୂଜା କରିବାର ଅଧିକାର ମିଳୁନି ? କାହିଁକି ସେମାନେ ଅନ୍ୟମାନଙ୍କ ସହ ଗୋଟିଏ ପଙ୍ଗତରେ ଭୋଜନ କରି ପାରୁନାହାନ୍ତି ? କାହିଁକି ସେମାନେ ଚାଲିଗଲେ ପଛରେ ଗୋବରପାଣି ଛିଞ୍ଚା ହେଉଛି ? କାହିଁକି ଆଜି ବି ସେମାନେ ଆମ ସମାଜରେ ଅବହେଳିତ ? ଯଦି ମୋ ଗାଁ ଭଳି ୯୦% ସାକ୍ଷରତା ଥିବା ଗାଁ ର ଅବସ୍ଥା ଏଇଆ,ତାହେଲେ ଅନ୍ୟ ପଛୁଆ ଗାଁ ମାନଙ୍କର ଅବସ୍ଥା କଣ ନଥିବ ! ମାନସିକ ସ୍ଥରରେ ପରିବର୍ତ୍ତନ ନ ଆଣି ଖାଲି ଜଣେ ସାକ୍ଷର ହେଇଗଲେ କଣ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ସମ୍ଭବ ? ଏମିତି ଅନେକ ପ୍ରଶ୍ନ ଗଭୀର ଜଳରାଶିରୁ ଉପରକୁ ଉଠୁଥିବା ପାଣିଫୋଟକା, ପର ମୁହୂର୍ତ୍ତରେ ଫୁଟିଗଲା ପରି ମୋ ଭିତରେ ଉଠୁଥାନ୍ତି ଆଉ ମିଳେଇ ଯାଉଥାନ୍ତି।

ଏଇଠି ସ୍ଵତଃ ମନକୁ ପ୍ରଶ୍ନ ଆସେ,ଭାରତୀୟ ସମ୍ବିଧାନର ଧାରା ୧୫ ଆଉ ୧୭(ମୌଳିକ ଅଧିକାର) କାହା ପାଇଁ ଓ କଣ ପାଇଁ ? ସତରେ କଣ ଏହା ‘ବନୁ ଦାଦାଘର ଖୁଡ଼ି’ ମାନଙ୍କ ପାଇଁ ତିଆରି ହୋଇଛି ? ଆଉ ଯଦିବା ହେଇଛି,ସତରେ କଣ ସେମାନଙ୍କୁ ଏହାର ସୁବିଧା ସୁଯୋଗ ମିଳୁଛି ? ବୋଧହୁଏ ନା… ନହେଲେ ଆଜି ବି ସେମାନଙ୍କୁ ଏମିତି ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ପଡ଼ୁନଥାନ୍ତା ! ଏବେ ବିଚାର ଆପଣମାନଙ୍କର…

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba free eMagazine and online web Portal