New

Post Top Ad

Shubhapallaba free eMagazine and online web Portal

Saturday, December 24, 2022

ରଜ

Raja (ରଜ)

ଆରମ୍ଭ ହେଲା ‘ଖୁସି’ ଯୋଜନା, ସ୍କୁଲ ଛାତ୍ରୀଙ୍କୁ ମାଗଣା ନାପକିନ। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଙ୍କୁ ଏହି ଯୋଜନାରେ ସାନିଟାରୀ ନାପକିନ ଯୋଗାଇ ଦିଆଯିବ…. ଆଜିର (୨୭/୦୨/୨୦୧୮) ‘ସମାଜ’ ରେ ଆସିଥିବା ଖବରକୁ ପାଟିକରି ପଢ଼ି ମା’ କୁ ଶୁଣାଉଥାଆନ୍ତି ବାପା, ବାରଣ୍ଡା ତଳେ ଠିଆହୋଇ ଶୁଣୁଥାନ୍ତି ପଡ଼ିଶା ଘର ଉତନା ଖୁଡ଼ି, ଆଉ ରୋଷେଇ ଘରେ ଥାଇ ସେ ସବୁକୁ ଦେଖୁଥାଏ ମୁଁ । ପୁଣି ସରକାର ସ୍କୁଲ ପିଲାଙ୍କୁ କିଛି ମାଗଣାରେ ଯୋଗେଇଦେବେ କଥାଟା ଶୁଣି ଦୁଇଟି ସ୍କୁଲ ଯାଉଥିବା କିଶୋରୀଙ୍କ ମା’ ଉତନା ଖୁଡ଼ିଙ୍କ ମୁହଁ ଟିକେ ଉଜ୍ଜ୍ୱଳ ଦେଖାଗଲା । ମୁହଁରେ ସ୍ମିତ ହାସ୍ୟଟିଏ ଆଙ୍କିଦେଇ ଚାଲିଗଲେ ସେ ତାଙ୍କ କାମରେ ଆଉ ମୁଁ ବି ବାପାଙ୍କ ସମାଜ ପଢ଼ା ଉପରେ ଧ୍ୟାନ ନ ଦେଇ ଲାଗିଲି ମୋ ରୋଷେଇ କାମରେ।ରୋଷେଇ ସାରି କୌଣସି ଏକ କାମରେ ଯାଇଥାଏ ବାଡ଼ି ପଟକୁ, ଗାଈ ଚରାଉ ଚରାଉ ଡାକ ପକେଇଲେ ଉତନା ଖୁଡ଼ି

– ପୁଅ, ଶୁଣ ଶୁଣ (ସେ ମତେ ପୁଅ ଡାକନ୍ତି)

– କଣ ହେଲାକି ଖୁଡ଼ି?

– ଗୋଟେ କଥା ପଚାରିଥାନ୍ତି

– ପଚାରୁନାହାନ୍ତି

– ଏଇ ଟିକେ ଆଗରୁ ନନା (ବାପା) ସମାଜରେ ପଢୁଥିଲେ । ସରକାର କ'ଣ ଗୋଟେ ନୂଆ ଯୋଜନା କରିଛନ୍ତି । ଝିଅ ପିଲାମାନଙ୍କୁ କ'ଣ ଗୋଟେ ମାଗଣାରେ ମିଳିବ । ସେଇଟା କ'ଣ କି ପୁଅ?

– ଖୁଡ଼ି, ବହି,ପୋଷାକ, ସାଇକଲ ପରେ ସରକାର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଝିଅ ମାନଙ୍କୁ ମାଗଣା ନାପକିନ ଦେବେ ।

– ହଁ.. ହଁ.. ନାପକିନି.. ନାପକିନି.. ନନା ତ ସେଇୟା ପଢୁଥିଲେ ଆଉ । ଏ ନାପକିନିଟା କ'ଣ କି? ସେଇଟା ପୁଣି କି କାମରେ ଆସିବ?

– ଝିଅ/ସ୍ତ୍ରୀ ଲୋକମାନେ ମାସିକିଆ ସମୟରେ ସେଇଟା ବ୍ୟବହାର କରନ୍ତି ପରା !

‘ମାସିକିଆ’ ଶବ୍ଦଟି ଶୁଣି ସେ ଟିକେ ଅସହଜ ଅନୁଭବ କଲେ କି କଣ,ଓଠରେ ସ୍ମିତହାସ୍ୟ ଦେଇ,ସଲଜ୍ୟ ନୟନରେ ମୁହୂର୍ତ୍ତେ ମୋ ଆଡ଼କୁ ଚାହିଁ ଓଢଣାର ଗୋଟେ କୋଣକୁ ଦାନ୍ତରେ କାମୁଡ଼ି ତଳକୁ ମୁହଁପୋତିଲେ ସେ।ପର ମୁହୂର୍ତ୍ତରେ ସ୍ୱରକୁ ଯଥା ସମ୍ଭବ ନରମ କରି ପୁନଃ ପଚାରିଲେ

– ଯେ, ମାସିକିଆ ବେଳେ ସେଇଟା କେମିତି ବ୍ୟବହାର କରିବ?

ମୁଁ ଏଥର ଅସହଜ ଅନୁଭବ କଲି ତାଙ୍କ ପ୍ରଶ୍ନରେ।କେମିତି ବା ଦେବି ଏ ପ୍ରଶ୍ନର ଉତ୍ତର ! କେମିତି ବୁଝେଇବି ସାନିଟାରୀ ପ୍ୟାଡ଼କୁ କିପରି ବ୍ୟବହାର କରାଯାଏ ବୋଲି ! ଏତେବେଳକୁ ମୋ ମୁଣ୍ଡରେ ପଶିଲା କି ଆମେ ଏମିତି ଏକ ବିଷୟରେ କଥା ହେଉଛୁ ଯାହାକୁ ଆମ ସମାଜ ଏଯାଏ ଗ୍ରହଣ କରିନି ସହଜ ଭାବରେ ।

– ଖୁଡ଼ି, ତମେ ଟିକେ ମା’ କୁ ପଚାରିବ।ସେ ଭଲରେ ବୁଝେଇଦେବ ତା ବିଷୟରେ…

ଏତିକି କହି ତାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା ନକରି ଦ୍ରୁତ ପଦକ୍ଷେପରେ ପଳେଇ ଆସିଲି ସେ ସ୍ଥାନରୁ।ଚାଲି ଆସିଲି ସିନା ମନରେ ସେଇ କଥା ଗୋଳେଇ ଘାଣ୍ଟି ହେଉଥାଏ ଜୀର୍ଣ୍ଣ ହୋଇନଥିବା ଖାଦ୍ୟ ପେଟରେ ଘୁରିହେଲା ପରି । କାହିଁକି ଆଜି ବି ଋତୁସ୍ରାବକୁ ସମାଜ ସହଜ ଭାବେ ଗ୍ରହଣ କରିପାରୁନି ସେଇ ପ୍ରଶ୍ନ ଭିତରେ ଭିତରେ କ୍ଷତାକ୍ତ କରୁଥାଏ ପ୍ରତି ମୁହୂର୍ତ୍ତ । ଯାହା ଆଣିଦିଏ ନାରୀ ପାଇଁ ଗୌରବର ସମ୍ଭାର,ଆଜି ବି ତାକୁ ନେଇ ଲଜ୍ଜିତ ହୁଏ କଣ ପାଇଁ? ଯାହାର ଆଗମନରେ ଘରେ ଉତ୍ସବ ପାଳନ ହୁଏ,ତାକୁ ନେଇ ତା ଆଖିରୁ ଲୁହ ଝରେ କଣ ପାଇଁ? ଯାହା ଆଣିଦିଏ ନାରୀ ଜୀବନରେ ପୂର୍ଣ୍ଣତା ତାକୁ ନେଇ ସେ ଅପମାନ ସହେ କଣ ପାଇଁ?

ଉଚ୍ଚ ବିଦ୍ୟାଳୟରେ ପଢିଲାବେଳର ଘଟଣା । ଦିନେ ଖାଇବା ଛୁଟିର ଠିକ ପୂର୍ବ ପିରିଏଡ଼ ରେ ଜନୈକ ସହପାଠୀନି କାନ୍ଦୁଥିବାର ଲକ୍ଷକଲେ ଆମ ଇଂରାଜୀ ଶିକ୍ଷକ ମହୋଦୟ । ଯେତେ ପଚାରିଲେ ବି ସେ ତା’ କାରଣ କହିନପାରି ଲଜ୍ଜାନତ ମୁଖକୁ ତଳକୁ କରି କାନ୍ଦୁଥିଲା କେବଳ । କିଛି ସମୟପରେ ଅନ୍ୟଜଣେ ସହପାଠୀନି ପରିଶ୍ରା ଯିବା ବାହାନାରେ ବାହାରକୁ ଯାଇ ପାଖ ପ୍ରାଥମିକ ବିଦ୍ୟାଳୟର ଜନୈକ ଶିକ୍ଷୟିତ୍ରୀଙ୍କୁ ଡାକି ଆଣିବାପରେ ତା’ର କାନ୍ଦ ବନ୍ଦ ହେଇଥିଲା ଏବଂ ଶିକ୍ଷକଙ୍କ ସହ ସାମାନ୍ୟ ଆଲୋଚନା ପରେ ତାକୁ ବାକି ଦିନ ପାଇଁ ଛୁଟି ଦିଆଯାଇଥିଲା,କିନ୍ତୁ ସେ ଆସିଥିଲା ତା’ର ତିନିଦିନ ପରେ । ଶ୍ରେଣୀ ଛାଡ଼ି ଗଲାପରେ, ପଛ ବେଞ୍ଚରେ ବସୁଥିବା କିଛି ‘ଉର୍ବର ମସ୍ତିସ୍କ ସମ୍ପର୍ଣ୍ଣ’ ସହପାଠୀ ମାନଙ୍କ ‘ହାଣ୍ଡି ଫାଟିଗଲା’ ଭଳି କଟାକ୍ଷର ଅନ୍ତରାଳେ ଏକ ହାସ୍ୟରୋଳର ପରିବେଶ ମୁଖରିତ ହେଇଥିଲା କିଛି ସମୟ, ଯାହାର ପ୍ରଭାବ ଅନୁଭୂତ ହୋଇଥିଲା ସେ ଦିନସାରା । ଶିକ୍ଷୟତ୍ରୀ ବିହୀନ ଗୋଟେ ବିଦ୍ୟାଳୟରେ, ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଛାତ୍ରୀମାନଙ୍କର ମାନସିକ ଅବସ୍ଥାକୁ ସଠିକ ଆକଳନ କଲାଭଳି ସାମର୍ଥ୍ୟ ସେତେବେଳେ ମୋର ନଥିଲା । ଆଉ ଯେବେ ବୁଝିଥିଲି ସେତେବେଳେ ମୋ ମୁଣ୍ଡ ତଳକୁ ହେଇଯାଇଥିଲା ଲଜ୍ଜାରେ, କ୍ଷୋଭରେ…

ତେବେ ଏଇଠି ପ୍ରଶ୍ନ ଉଠେ, ଯାହାର ଗୌରବ ଗାଥା ଆମ ସଂସ୍କୃତି, ପରମ୍ପରା ସହ ଜଡ଼ିତ, ଯାହାପାଇଁ କେଉଁଠି ହର୍ଷୋଲ୍ଲାସରେ ରଜ ପର୍ବ ପାଳନ କରାଯାଏ ତ କେଉଁଠି ପରମ ଭକ୍ତିରେ ଆମ୍ବୁବାସୀ** ମେଳା ହୁଏ, ତାହା ପାଇଁ ଆଜି ବି କାହିଁକି ଏ ସାମାଜିକ ବାସନ୍ଦ? ଉଚିତ ସଚେତନତା ସୃଷ୍ଟି କରାନଯାଇ, ବ୍ୟବହାର ସମ୍ବନ୍ଧୀୟ ଉଚିତ ଶିକ୍ଷା ପ୍ରଦାନ କାରା ନଯାଇ ସରକାରଙ୍କର ଏ ଯୋଜନା ଲାଗୁକଲେ କେତେଯେ ସୁଫଳ ମିଳିବ ତାହା ପ୍ରଶ୍ନବାଚୀ ନୁହେଁ କି?

(**ଆମ୍ବୁବାସି ମେଳା, ଆସାମର ପ୍ରସିଦ୍ଧ ଶକ୍ତିପୀଠ ତଥା ଅଧିଷ୍ଟାତ୍ରୀ ଦେବୀ ମା’ କାମାକ୍ଷାଙ୍କର ବାର୍ଷିକ ପୂଜା ମେଳା ଯାହା ରଜ୍ଜସିଳା ନାରୀକୁ ପ୍ରତିନିଧିତ୍ଵ କରେ । ମିଥୁନ ପ୍ରଥମ ଦିନରେ ପଡ଼ୁଥିବା ଏହି ମେଳାର ତିନିଦିନ ଆଗରୁ ମନ୍ଦିର ବନ୍ଦ ରହେ ଯାହା ଋତୁସ୍ରାବର ପ୍ରଥମ ତିନିଦିନକୁ ସୂଚିତ କରେ । ଯେପରି ଋତୁସ୍ରାବର ଚତୁର୍ଥ ଦିନରେ ନାରୀଟିଏ ପ୍ରାତଃ କାଳରେ ଶୁଦ୍ଧ ଜଳରେ ସ୍ନାନ ପୂର୍ବକ ସ୍ୱଚ୍ଛ ହୋଇଥାଏ, ସେହିପରି ଆମ୍ବୁବାସୀ ଦିନ (ଅର୍ଥାତ ଚତୁର୍ଥ ଦିନ) ଦେବୀଙ୍କୁ ପବିତ୍ର ଜଳରେ ଶୌଚ କରାଯାଇ, ମାର୍ଜନା ପୂର୍ବକ ସମ୍ପୂର୍ଣ୍ଣ ମନ୍ଦିରକୁ ଶୁଦ୍ଧ କରାଯାଏ ଏବଂ ବାର୍ଷିକ ପୂଜା କରାଯାଏ, ଯାହାକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୁଏ । କୁହାଯାଏ ମନ୍ଦିର ବନ୍ଦ ଥିବା ତିନିଦିନ ବ୍ରହ୍ମପୁତ୍ରର ସେପଟର ପାଣିର ରଙ୍ଗ ଋତୁସ୍ରାବର ରଙ୍ଗ ଭଳି ଲାଲ ଦେଖାଯାଏ । ଓଡ଼ିଶାରେ ପାଳିତ ରଜ ପର୍ବ ପରି ଏହା ମଧ୍ୟ କୃଷି ଭିତ୍ତିକ ପର୍ବ । ଏହି ପର୍ବର ପରେ ପରେ ହିଁ ଚାଷ କାର୍ଯ୍ୟ ଆରମ୍ଭ କରନ୍ତି ସେଠାର କୃଷକ ଭାଇମାନେ ।)

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba free eMagazine and online web Portal