“ଆରେ ଯାଉନୁ, ସବୁବେଳେ ସେଇ ମୋବାଇଲରେ ମୁହଁଟା ମାଡ଼ିଛୁ। ଦି’ ଦିନ କାର୍ତ୍ତିକ ହେଲାଣି,ସେଣେ ମୋ ଝିଅକୁ ତା’ ମୁଖୁରୀ ଯାଆ କେତେ ଖୁଣ୍ଟା ଦେଇ ସାରିବଣି !” ଗାଧେଇସାରି ଘରେ ପସୁପସୁ ମୋ ଉଦ୍ଦେଶ୍ୟରେ କହିଲା ମା’। ସତେ ତ ! କୁମାର ପୂର୍ଣ୍ଣିମା ପୂର୍ବରୁ ନାନୀ ଘରେ କାର୍ତ୍ତିକ ପହଞ୍ଚିବା କଥା। ଏ ବର୍ଷ ମୋ ଅବହେଳାରୁ ଟିକେ ବିଳମ୍ବ ହେଇଗଲାଣି। ମୋବାଇଲ ଛାଡ଼ି ବାହାରକୁ ଆସି ଦେଖେ ତ ବାପା ବାରଣ୍ଡାରେ ପସରା ମେଲେଇ ବସିଛନ୍ତି। ଅରୁଆ ଚାଉଳ,ମୁଗ ଡାଲି,ଗୋଟା ମୁଗ,ନଡ଼ିଆ,ସାରୁ,କଞ୍ଚା କଦଳୀ,ଓଉ ଇତ୍ୟାଦିର ସମ୍ଭାର।ଜାଣିଲି,ଏବେ ଆଉ ନିସ୍ତାର ନାହିଁ, ଯିବାକୁ ହିଁ ହେବ ! ଅତଃ ଶୁଭସ୍ୟ ଶିଘ୍ରମ୍…
ଗାଧୁଆ ଘରୁ ବାହାରିଲା ବେଳକୁ ସବୁ ବନ୍ଧାବନ୍ଧି ହୋଇ ଗୋଟେ ସିମେଣ୍ଟ ମୁଣି ପ୍ରସ୍ତୁତ। ତରତରରେ ମ୍ୟାଗି ଦୁଇ ଚାମଚ ପାଟିରେ ଦେଇ ବାହାରି ପଡ଼ିଲି ନାନୀଘର ଅଭିମୁଖେ। ପଛପଟୁ ପୁଣି ମା’ର କଡ଼ା ନିର୍ଦେଶ, “ତାଙ୍କ ବଜାରରେ ଅଗସ୍ତ୍ୟ ଶାଗ ମିଳୁଥିବ କି ନାହିଁ ତୁ ଏଇଠୁ ନେଇଯିବୁ। ସନ୍ଧ୍ୟାରେ ତାକୁ (ନାନୀକୁ) ବଜାର ନେଇ କସ୍ତା ଲୁଗା ଖଣ୍ଡେ କିଣି ଦେବୁ ଆଉ ଆସିଲା ବେଳକୁ ତା’ ହାତରେ କିଛି ଟଙ୍କା ଦେଇ ଆସିବୁ।” ବୁଲିପଡ଼ି ମା ଉଦ୍ଦେଶ୍ୟରେ ଗୋଟେ ଆଶ୍ୱାସନାର ହସ ହସି ଘର ଛାଡ଼ିଲି। ପିଲାମାନେ ଘରୁ ବାହାରିଲା ବେଳେ ମା’ ପଛରୁ ଡାକିଲେ କୁଆଡେ ଶୁଭ। ଆଉ ମୋ ମା’ ଏକଥାକୁ କାନିରେ ଗଣ୍ଠିକରି ରଖିଛି ଯେମିତି !
ଭାଇନା ଯିବାର ୧୩ ବର୍ଷ ହେଇଗଲାଣି ଆଉ ନାନୀକୁ କାର୍ତ୍ତିକ କରିବା ୧୨ ବର୍ଷ। ଉଚ୍ଚ ଶିକ୍ଷିତା ଅଧୁନିକା ନାନୀମୋର କାହିଁକି ଯେ କାର୍ତ୍ତିକ କରେ ମୁଁ ବୁଝିପାରେନି। ଶ୍ରେଣୀ ଗୃହରେ ଶହଶହ ପିଲାଙ୍କୁ କୁପରମ୍ପରା,କୁସଂସ୍କାର ସମ୍ପର୍କରେ ଶିକ୍ଷା ଦେଉଥିବା ମୋ ନାନୀର କାର୍ତ୍ତିକ କରିବା ମୋତେ ବେଳେ ବେଳେ ବିଚିତ୍ର ଲାଗେ ଆଉ ବେଳେ ବେଳେ ଗର୍ବ ବି। ପିଲାଦିନେ ତାରାବୋଉର ହବିଷ ଡାଲମା ପାଇଁ ଶଙ୍ଖି ବିଲେଇ ଭଳି ଜଗି ରହୁଥିବା ନାନୀ ଯେ ଏତେ ଶୀଘ୍ର ନିଜପାଇଁ କରିବ କିଏ ବା ବିଶ୍ୱାସ କରିଥିଲା ! ଅନେକ ଥର ତାକୁ ଏ ବିଷୟରେ ପଚାରିଛି, ହେଲେ ସେ ପ୍ରତିଥର ସେଇ ଗୋଟିଏ କଥା କୁହେ – “ଆରେ ଇଏ ପରା ହଜାର ହଜାର ବର୍ଷର ପ୍ରଥା। ଏହା ସହ ପରା ଆମ ପରମ୍ପରା,ଆମ ସଂସ୍କୃତି ଜଡ଼ିତ ! କେମିତି ବନ୍ଦ କରିଦେବି କହିଲୁ ? ବର୍ଷସାରା ଏକାଦଶୀକୁ ଛାଡ଼ିଦେଲେ ଆଉ କିଛି ତ କରୁନି, ଏଇଟାକୁ ତ କରିବାକୁ ଦେ !!” ଆଉ ତା ଯୁକ୍ତିରେ ଚୁପ ହେଇଯାଏ ମୁଁ। ଖୁସିଲାଗେ ମୋ ନାନୀ ଅଧୁନିକା ହେଇ ବି ଭୁଲିଯାଇନି ଆମ ସଂସ୍କୃତି ଆଉ ପରମ୍ପରାକୁ। ଆଉ ସେଥିପାଇଁ ୧୫ ଦିନ ଆଗରୁ ଆମଘରେ ଚାଲେ ପ୍ରସ୍ତୁତି। ତନ୍ତି ସାହିରୁ ଭଲ ମୁଗ,ପଣ୍ଡା ଘର ବଡ଼ ନଡ଼ିଆ,ଭୋଇସାହି ବୀର ଭାଇର ସାରୁ ଆଉ ମାନା ଦାଦା ବାଡ଼ିର ମିଠା ଓଉ ଆଣି ସାଇତି ରଖନ୍ତି ବାପା। ଅରୁଆ ଚାଉଳ ଗୁଣ୍ଡକରି ସେଥିରେ ଅବିର ମିଶେଇ ପଞ୍ଚ ମୁରୁଜ ପ୍ରସ୍ତୁତ କରେ ମା। କାର୍ତ୍ତିକର ଦିନକ ପୂର୍ବରୁ ନାନୀଘରେ ପହଞ୍ଚିଯାଏ ସବୁ। ମାସ ସାରା ଯେମିତି ତାକୁ କିଛି ଖୋଜିବାକୁ ପଡିବନି,ସବୁ ସଜାଡି ମା ପଠାଏ। ବର୍ଷେ ଅସୁବିଧାପାଇଁ ଯିବାରେ ବିଳମ୍ବ ହେଲା ବୋଲି ନାନୀର ଯା’ କଣ ଦୁଇ ଚାରି ପଦ କହିଦେଇଥିଲା ଯେ ଆମଘରେ ପ୍ରଳୟ ହେଇଗଲା। ସବୁ ନେଇ ପହଁଚିବା ପର୍ଯ୍ୟନ୍ତ ଫୁରସତ ମିଳିଲାନି। ତା ପର ବର୍ଷଠୁ କିଛି ହଉ କି ନ ହଉ, କାର୍ତ୍ତିକ ଯିବା ବନ୍ଦ ହୁଏନି ।
ବ୍ରାହ୍ମଣ ଘରେ କାର୍ତ୍ତିକ ଭାରି ନିଷ୍ଠାରେ କରାଯାଏ। ମୁହଁ ଅନ୍ଧାରୁ ହବିଷ୍ୟାଳି ଉଠି ସ୍ନାନ ଶୌଚ ସାରି,ଘର ଦ୍ୱାର ଧୋଇ,ଗୋବର ଦେଇ ତୁଳସୀ ଚଉରା ଲିପି,ମୁରୁଜ ପକେଇଲା ପରେ ଯାଇ ସୂର୍ଯ୍ୟ ଉଦୟ ହୁଏ। ଘରର ଅନ୍ୟ ସଦସ୍ୟ ଉଠିଲା ବେଳକୁ ଚଉରା ମୂଳ ଝୁଣା ଧୂପରେ ମହକୁଥିବ। ମୁରୁଜରେ କୋଠି ଲେଖାହୋଇ ଗଜା ମୁଗ,କଦଳୀ,ନଡ଼ିଆ ଆଉ ଖଈ ଭୋଗ ବଢ଼ା ସରିଥିବ। ରାଈ ଦାମୋଦର ପୂଜା ବଢ଼ି ଯାଇଥିବ। କେବେ କେବେ ତ ଅଧ୍ୟାୟେ କାର୍ତ୍ତିକ ମାହାତ୍ମ୍ୟ ଶୁଣିବାର ସୁଯୋଗ ବି ମିଳିଯାଏ। ତା’ ପରେ ଚାଲେ ଦିନର ଏକମାତ୍ର ଖାଦ୍ୟ ପାଇଁ ପ୍ରସ୍ତୁତି। ହବିଷ୍ୟାନ୍ନ ସାଙ୍ଗକୁ ବିନା ହଲଦୀରେ, ଅଣ ବଘରା ସାରୁ,କଦଳୀ,ଶାଗ,ଓଉ ଆଉ ନଡ଼ିଆ ପକା ମୁଗ ଡାଲମା। ଅଫିଟା କଦଳୀ ପତ୍ରରେ ବାଢ଼ି,ପାଣି ଛଡେଇ ଗ୍ରହଣ କରାହୁଏ ଏହି ସାତ୍ଵିକ ଖାଦ୍ୟ। ସନ୍ଧ୍ୟାରେ ସେମିତି ଆକାଶ ଦୀପ ପାଇଁ ଚଉରା ମୂଳେ ପୋତାଯାଇଥିବା ବାଉଁଶ ଛାରିପଟେ ମୁରୁଜ ପକାଯାଇ,ଛିଦ୍ରିତ ମାଟି ପାତ୍ର ଭିତରେ ବାଲି ରଖି ଘିଅ ଦୀପ ସ୍ଥାପନା ପୂର୍ବକ ଉପରକୁ ଟେକାଯାଏ। ଏମିତି ଚାଲେ ମାସ ସାରା। ପ୍ରତିବର୍ଷ ବଡ଼ ଏକାଦଶୀ (ଦେବୋତ୍ଥାପନ ଏକାଦଶୀ ବା କାର୍ତ୍ତିକ ଶୁକ୍ଳ ଏକାଦଶୀ) ଦିନ ଶ୍ରୀମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରି ମହାପ୍ରସାଦ ସେବନ କରି ନାନୀ ଘରକୁ ଫେରେ। ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ସେ ଲଷ୍ମୀ ନାରାୟଣ ବ୍ରତ କରେ। ବାହାଘର ପୂର୍ବରୁ ଓଡ଼ିଆ ସଂସ୍କୃତି ଆଉ ପରମ୍ପରାର ଧାର ଧରୁନଥିବା ମୋ ନାନୀ ଏସବୁକୁ ଏତେ ନିଷ୍ଠାର ସହ କରେ ଯେ ଛାତି ଗର୍ବରେ ଫୁଲିଯାଏ। ସତେ ଯେମିତି ସେ ଏସବୁ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ! ସତେ ଯେପରି ଏଥିରେ ଲୁଚି ରହିଛି କେଉଁ ଏକ ଅଦୃଶ୍ୟ ଆକର୍ଷଣ !
ବେଳେ ବେଳେ ଭାବେ କଣ ଆବଶ୍ୟକ ଅଛି ଏ କାର୍ତ୍ତିକ ବ୍ରତର ? ଜଣେ ବ୍ରାହ୍ମଣ ବିଧବା ପାଇଁ ଏହା ଏତେ ବାଧ୍ୟତାମୂଳକ କଣ ପାଇଁ ? ଆଜିକାଲି ସମୟରେ ଏହାର ପ୍ରାସଙ୍ଗିକତା କେତେ ? ଏବର ପରିବର୍ତ୍ତନଶୀଳ ଜଳବାୟୁରେ ରାତ୍ରିର ତୃତୀୟ ପ୍ରହରୁ ଉଠି,ଶୀତରେ ଥରି ଥରି ଏତେ ବିଧି ବିଧାନ କରିବା କେତେଦୂର ଠିକ ? ବ୍ରତ ନା’ରେ ଏହା ସାଙ୍ଘାତିକ ଶାରୀରିକ କଷ୍ଟ ନୁହେଁ କି ? ତାହେଲେ କଣ ଆବଶ୍ୟକ ଏତେ କଷ୍ଟ ସହିବା ??? ପୁଣି ବୁଲିପଡ଼ି ଯେବେ ମୋ ନାନୀକୁ କାର୍ତ୍ତିକ କରୁଥିବାର ଦେଖେ,ତା’ ବିଚାରକୁ ଶୁଣେ,ଏତେ ସବୁ ପ୍ରଶ୍ନ ଅପ୍ରାସଙ୍ଗିକ ଲାଗେ। ଲାଗେ ଏ ସବୁର ଆବଶ୍ୟକତା ଅଛି। ପରିବର୍ତ୍ତିତ ଦୁନିଆରେ ଅପରିବର୍ତ୍ତିତ ଏହି ହଜାରେ ବର୍ଷର ପରମ୍ପରାକୁ ଆଗକୁ ବଢ଼େଇ ନେବାର ଆବଶ୍ୟକତା ଅଛି…
No comments:
Post a Comment