New

Post Top Ad

Shubhapallaba free eMagazine and online web Portal

Thursday, December 15, 2022

ସେଇ ପିଲାଟି…

Sei Pilati (ସେଇ ପିଲାଟି…) by Tapas Ranjan

ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଅନେକଙ୍କର ଅନେକ ଅନୁଭବ ଆଉ ଅନୁଭୂତି ଥିବ ନିଶ୍ଚୟ । ଭାବବିନୋଦିଆ ସେ ଭାବର ଠାକୁର, ଅନୁଭବର ଠାକୁର । ଅନୁଭବୀ ହିଁ ଠିକ ବୁଝିପାରେ ସେ ଅନୁଭବକୁ, ସେ ଠାକୁରକୁ । ମୋ ନିଜସ୍ୱ ଅନେକ ଅନୁଭବ ଭିତରୁ କିଛି ବର୍ଷ ପୂର୍ବରୁ ଘଟିଥିବା ଛୋଟ ଗୋଟେ ଘଟଣା ଆଉ ତା’ ସହ ଜଡ଼ିତ ଏକ ଅମର ଜୀବନ ଦର୍ଶନ ।

ଜ୍ୟେଷ୍ଠ ମାସ, ଦ୍ଵିଜା ମେଷ, ଇଂରାଜୀ ଜୁନ ମାସ ୬ ତାରିଖ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବାହାରିଛି ଶ୍ରୀମନ୍ଦିର, ଜନ୍ମଦିନରେ ମୋ ସଖି ପାଇଁ ଶୁଭ ମନାସିବାକୁ । ବସ ଯୋଗେ ପୁରୀ ବସଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ସମୟ ପାଖାପାଖି ୧୨ ଟା । ତରତର ହେଉଥାଏ ମନ୍ଦିରରେ ପହଞ୍ଚିବା ପାଇଁ, କାଳେ ପହଡ଼ ପଡିଯିବ, ଏତେ ବାଟ ଆସିବା ବୃଥାଯିବ ପୁଣି । ଅପରାହ୍ନରେ ପୁଣି ଭୁବନେଶ୍ୱର ପହଞ୍ଚିବାର ଅଛି । ଏତେସବୁ କଥା ଭାବି ଭାବି ପାଦ ପକାଉଥାଏ ତ ଘେରିଗଲେ ୨/୩ ଜଣ ।

-ବାବୁ କୁଆଡ଼େ ଯିବେ? ମନ୍ଦିର?

-ବାବୁ ମୋ ରିକ୍ସାରେ ଆସନ୍ତୁ, ମାତ୍ର କୋଡ଼ିଏ ଟଙ୍କା

ଜଣଙ୍କ କଥା ସରିଚି କି ନାହିଁ, ଆଉ ଜଣେ ଟାଣିଲାଣି ହାତ ଧରି । ଜୁନ ମାସର ଟାଣୁଆ ଖରାରେ ଗମ ଗମ ଝାଳ ବୋହୁଥାଏ, ମୁହଁ ହାତ ପୋଡିଗଲାପରି ଲାଗୁଥାଏ, ତା ଉପରେ ଏମାନଙ୍କର ଟଣା ଓଟରା ମନକୁ ବେଶୀ ଭାରାକ୍ରାନ୍ତ କରିପକାଉଥାଏ । ସାମ୍ନାରେ ଟାଉନ ବସର ହକର ରଡ଼ି ଛାଡୁଥାଏ ମନ୍ଦିର ମନ୍ଦିର ହୋଇ । ଛୋଟ ଦିଆସିଲି ପରି ବସଟି ପୁରି ଆସୁଥାଏ । ଆଉ ଜଣେ ଦି’ଜଣ ହେଲେ ଛାଡ଼ିବ ପ୍ରାୟ । ତରତରରେ ପଶିଗଲି ଭିତରକୁ ଆଉ ସତକୁସତ ବସ ଟି ଛାଡ଼ିଲା ମୁଁ ଚଢ଼ିଲା ପରେ ପରେ । ଭିତରର ଅବସ୍ଥା ଥିଲା ଅତ୍ୟନ୍ତ ଦୟନୀୟ । ଏ ଗରମକୁ ଭିତରେ ବସର କିରୋସିନି ମିଶା ଡିଜେଲ ଧୂଆଁ ରୁନ୍ଧି ପକାଉଥାଏ ଏକବାର । ମନେ ମନେ ନିଜକୁ ଗାଳିକଲି ପୁଳେ । ଟଙ୍କା କେଇଟା ବଞ୍ଚେଇବା ପାଇଁ ରିକ୍ସାରେ ନ ଯାଇ ଟାଉନ ବସରେ ଆସି ହୀନସ୍ତା ହେଲି ଯାହା ! ଦୀର୍ଘଶ୍ଵାସଟିଏ ଛାଡ଼ି ମୋ ସହଯାତ୍ରୀ ମାନଙ୍କ ଉପରେ ଟିକେ ନଜର ପକାଉ ପକାଉ ଆସି ପହଞ୍ଚି ଯାଇଥିଲି ମରିଚିକୋର୍ଟ ଗଳି ପାଖରେ । ହେଲ୍ପର ଟୋକାକୁ ଟଙ୍କା ବଢ଼େଇ ଓଲ୍ହେଇପଡ଼ି ଚାଲିବାକୁ ଆରମ୍ଭ କଲି । ସେଇଠୁ ପାଖାପାଖି ଅଧା କିଲୋମିଟର ଚାଲିଲେ ଯାଇ ପଡ଼ିବ ସିଂହଦ୍ୱାର । ଶୀଘ୍ର ପହଞ୍ଚିବାର ମାନସିକତା ନେଇ ଲମ୍ବା ପାଦ ପକାଉ ପକାଉ ଠାକୁରଙ୍କୁ ଡାକିଲି । ପ୍ରଭୁ ! ଏତେ ଦୂରରୁ ଆସିଛି, ବିନା ଦର୍ଶନରେ ଖାଲି ଫେରିବିନି ଯେମିତି । ମୋ ଯିବାଯାଏଁ ପହଡ଼ ପଡ଼ିନଥାଉ ପ୍ରଭୁ ।

ବର୍ଷଟିଏ ପରେ ବି ପୁରୀ ଯେମିତି ଥିଲା ସେମିତି । ଏବେ ବି ଦାଣ୍ଡସାରା ପୁଳା ପୁଳା ବୁଲା ଗୋରୁ ଆଉ ଷଣ୍ଢ ମାନଙ୍କ ରାଜୁତି ଚାଲିଛି । ତା’ ସହ ତାଳଦେଇ ସମାନ ଗତିରେ ବଢ଼ିଚାଲିଛି ଉଠାଦୋକାନୀ ଆଉ ଭିକାରି ମାନଙ୍କ ସଂଖ୍ୟା । ଆଉ ଟ୍ରାଫିକ ବ୍ୟବସ୍ଥା ଯେମିତି ଭୂଇଁରେ ଲୋଟି ଲୋଟି ଚିତ୍କାର କରୁଛି ! ବର୍ଷେ ତଳର ଆଉ ଏବର ପୁରୀ ମଧ୍ୟରେ ଗୋଟେ ତୁଳନାତ୍ମକ ଚିତ୍ର ଆଙ୍କୁ ଆଙ୍କୁ ଯାଇ ପହଞ୍ଚି ସାରିଥିଲି ଓଡ଼ିଶା ଏମ୍ପୋରିଅମ ସମ୍ମୁଖ ଚପଲ ଷ୍ଟାଣ୍ଡ ପାଖରେ । ଗହଳି ଦେଖି ଲାଗିଲା ଆହୁରି ପନ୍ଦର ମିନିଟ ପରେ ଯାଇ ମୋ ପାଳି ପଡ଼ିବ ବୋଧେ !

ନା’ ଆଉ ଅପେକ୍ଷା କରିହେବନି । ଉଛୁର ହେଲେ ତେଣେ ପହଡ଼ ପଡ଼ି ଯିବ ଯେ ! ଆର ଷ୍ଟାଣ୍ଡକୁ ଯିବାକୁ ବାହାରିଲି । ଅରୁଣ ସ୍ଥମ୍ଭ ପାଖଦେଇ ଯାଉଛି କି ପଛରୁ ଶୁଭିଲା, “ଜୋତା ରଖିବେ ବାବୁ?” । ପଛକୁ ଚାହିଁ ଦେଖିଲି ନ’ ଦଶ ବର୍ଷର ଛୋଟ ପିଲାଟିଏ । ହାପ୍ ସାର୍ଟ ଆଉ ହାପ୍ ପ୍ୟାଣ୍ଟ ପିନ୍ଧିଥାଏ । କାନ୍ଧରେ ଗୋଟେ ସିମେଣ୍ଟ ଅଖାରେ ତିଆରି ଧଳା ବ୍ୟାଗ । ଅରୁଣ ସ୍ତମ୍ଭର ଲୁହା ବ୍ୟାରିକେଡ଼କୁ ଧରି ଠିଆ ହୋଇଥାଏ । ମଳିନ ଚେହେରା, ଆଗକୁ ଓହଳି ପଡ଼ିଥିବା ବିକ୍ଷିପ୍ତ ଚୁଟି ପଛପଟୁ ଉଜ୍ଜ୍ୱଳ ଦିଶୁଥିବା ଚିକ ଚିକ ଦୁଇଟି ଆଖି ଆଉ ଖରାରେ ଝାଉଁଳି ପଡ଼ିଥିବା ଛୋଟ କମନୀୟ ତା ମୁହଁ ।

-ଜୋତା ରଖିବି କୋଉଠି? ଏଠି ଷ୍ଟାଣ୍ଡ କାହିଁ?

-ମୋରି ପାଖରେ ବାବୁ

-ହେଲେ ଏଠି ତ ଆଉ କାହାର ଜୋତା ନାହିଁ । ତା ଛଡ଼ା ମୋ ମୋବାଇଲକୁ ବି ତ ରଖିବାକୁ ହେବ

-ସତ କହୁଛି ଆଜ୍ଞା । ମୁଁ ଆପଣଙ୍କ ଜୋତା ଆଉ ମୋବାଇଲ ନେଇ କୁଆଡ଼େ ଚାଲି ଯିବିନି । ଜଗା ରାଣ । ଆଖି ଛୁଉଁଚି । ସେଠି ରଖିଲେ ପନ୍ଦର ଟଙ୍କା ଦେଇଥାନ୍ତେ, ମତେ ମାତ୍ର ଦଶଟଙ୍କା ଦେବେ । ରଖନ୍ତୁ ନା

କିଛି ସମୟ ଠିଆହେଇ ଚାହିଁଲି ତାକୁ । ଉତ୍କଣ୍ଠାପୂର୍ଣ୍ଣ ଆଖିରେ ଚାହିଁ ରହିଥାଏ ମୋ ଆଡ଼େ କିଛିଗୋଟେ ସକାରାତ୍ମକ ଉତ୍ତର ଅପେକ୍ଷାରେ । କାହିଁକି ତାକୁ ବିଶ୍ୱାସ କରିବାକୁ ଭାରି ଇଚ୍ଛା ହେଲା । ଆଉ କିଛି ଭାବିବା ଆଗରୁ ହାତ ଆପେ ଆପେ ଚାଲିଯାଇଥାଏ ପକେଟରେ ଥିବା ମୋବାଇଲ ଆଡ଼କୁ । ଜୋତା ଖୋଲି, ମୋବାଇଲ ବନ୍ଦ କରି ବଢ଼େଇଦେଲି ତା ହାତକୁ ଆଉ ତା ସହ ଖଣ୍ଡେ ଦଶଟଙ୍କିଆ ନୋଟ ଟିଏ । ତଥାପି କେମିତି ଗୋଟେ ଅଜଣା ଭୟ ଆବୋରି ବସୁଥାଏ ମତେ ସେହି ମୁହୂର୍ତ୍ତରେ । ପିଲାଟା ମୋବାଇଲ ନେଇ ଛୁ ମାରିବନି ତ ଆଉ ! ବେଶୀ ଦାମିକା ନ’ହେଲେ ବି ୭-୮ ହଜାରର ମୋବାଇଲ ଟା । ଏମିତି ଭାବୁ ଭାବୁ ଆଗକୁ ପାଦ ବଢ଼େଇଲି ମୁଁ । ପାଦ ଧୋଇ, ମୁଣ୍ଡରେ ପାଣି ଛିଞ୍ଚି ସିଂହଦ୍ୱାର ଆଡ଼କୁ ଯାଉ ଯାଉ ଆଉଥରେ ବୁଲିପଡ଼ି ଚାହିଁଲି ତାକୁ । ସେମିତି ଠିଆ ହୋଇଥାଏ ସେ । ଭୟ ଆଉ ଆଶଙ୍କା ଭିତରେ ପଶିଲି ମନ୍ଦିର ଭିତରେ । ବାଇଶି ପାହାଚରେ ମୁଣ୍ଡିଆ ମାରି, ପଣ୍ଡାମାନଙ୍କ ବେତ ପାହାର ଖାଇ, ଗଣେଶ, କଳ୍ପବୃକ୍ଷ, ମୁକ୍ତି ମଣ୍ଡପ ହେଇ ମା’ ବିମଳା ମନ୍ଦିରରେ ଦୀପଟିଏ ଜାଳି ଶୁଭ ମନାସିଲି । ସେଇଠୁ କାଞ୍ଚି ଗଣେଶ, ମା’ ଭୁବନେଶ୍ଵରୀ ମନ୍ଦିର ହେଇ ଯାଇ ପହଞ୍ଚିଲି ପଡ଼ିଦାତ୍ରୀ ଜଗତ୍ଜନନୀ ମା’ ଲଷ୍ମୀଙ୍କ ମନ୍ଦିରରେ । ମା’କୁ ମୋ ଗୁହାରି ଜଣେଇ, ବେଢ଼ାରେ ଟିକେ ବସି, ଅମୁହାଁ ମନ୍ଦିରରୁ ନୀଳଚକ୍ରଙ୍କୁ ଦର୍ଶନ କରି ସିଧା ଚାଲିଲି ଚତୁର୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ । ଭିତରେ ଯାଇ ଦେଖିଲି ପହଡ଼ ପଡିନି । ଦୀର୍ଘଶ୍ଵାସ ଟିଏ ବାହାରି ଆସିଲା ମୋ ଭିତରୁ । ଗରୁଡ଼ ସ୍ତମ୍ଭ ପଛପଟୁ ମୁଣ୍ଡିଆ ମାରି, ଦୁଇବାହୁ ଟେକି ନିଜକୁ ସମର୍ପିଦେଲି ସେହି ପରଂବ୍ରହ୍ମ ମହାବାହୁଙ୍କ ନିକଟରେ । ଅନାୟାସରେ ଆଖିରୁ ବହିଆସିଲା ଦୁଇଧାର ଲୁହ । ଆଖିର ଲୁହକୁ ପୋଛି ଆଉଥରେ ଚାହିଁଲା ବେଳକୁ ଆରମ୍ଭ ହୋଇସାରିଥାଏ ପହଡ଼ ପଡ଼ିବାର ଉପକ୍ରମ । ଧୀରେ ଧୀରେ ବଡ଼ବଡ଼ ପିତ୍ତଳଗୋବ ଲଗା କବାଟ ବନ୍ଦହେଇ ଆସିଲା ଆଉ ତା ପଛପଟେ ଲୁଚିଗଲେ ମହାପ୍ରଭୁ ଭାଇ ଭଉଣୀଙ୍କ ସହ… ମନଟା କେମିତି ଗୋଟେ ପ୍ରଶାନ୍ତିର ଛାଇରେ ଢାଙ୍କି ହେଇଗଲା ସେହିକ୍ଷଣି । ସତେ ଯେମିତି ଠାକୁରେ ମତେ ହିଁ ଅପେକ୍ଷା କରିଥିଲେ, ତାଙ୍କ ଭୋଜନ ସମୟକୁ ସାମାନ୍ୟ ବିଳମ୍ବିତ କରି ! ଆଉଥରେ ଆଖି ଲୁହରେ ଭିଜିଗଲା । କୃତ୍ୟ କୃତ୍ୟ ହୃଦୟରେ ମୁଣ୍ଡିଆ ମାରି ମେଲାଣି ମାଗିଲି ।

ଏଥର ଟଙ୍କ ତୋରାଣି ପି’ବାର ସମୟ । ମୁଁ ଯେବେ ବି ମନ୍ଦିର ଯାଏ, ଉତ୍ତରଦ୍ୱାର ପାଖେ ନିର୍ଦିଷ୍ଟ ମଉସାଙ୍କଠାରୁ ନିଶ୍ଚୟ ଟଙ୍କ ତୋରାଣି ପିଏ । ଏଥର ବି ଦଶ ଟଙ୍କା ଦେଇ ଦୁଇ କୁଡ଼ୁଆ ପି’ଲି ପେଟ ଭର୍ତ୍ତିକରି ଲାଗିଲା ପେଟର ସବୁ ଗୋଳମାଳ ଦୂର ହେଇଗଲା ମୁହୂର୍ତ୍ତକରେ ! ସତ କହୁଥିଲେ ସେ ବୁଢ଼ାନନା । ଏଇଟା ପରା ଦେଶୀ କୋଲ୍ଡ଼ ଡ୍ରିଙ୍କ । ଅବଢ଼ା ତୋରାଣିରେ କମଳା ପତ୍ର, ଲେମ୍ବୁ, ଚୁନା ଚୁନା କାକୁଡି, କଞ୍ଚାଲଙ୍କା, ପୁଦିନା ଆଉ ଧନିଆଁ ପତ୍ର ପଡ଼ିଥାଏ । ସତ କହୁଛି,ଏମିତି ଟଙ୍କ ତୋରାଣି ପି’ବାରେ ଥାଏ ଏକ ନିଆରା ମଜା । ନ ପି’ବା ଲୋକ କେବେ ଅନୁଭବ କରିପାରିବନି ସେ ନିଆରା ଅନୁଭୂତି କୁ !

ଠାକୁରଙ୍କ ସୁନ୍ଦର ଦର୍ଶନ ଆଉ ଟଙ୍କ ତୋରାଣିର ପିଇ ବିଭୋର ହୋଇଉଠୁଥାଏ ମୁଁ । ଆନନ୍ଦର ଶୀତଳ ସ୍ପର୍ଶରେ ଭୁଲି ହେଇଯାଉଥାଏ ଜୁନ ମାସର ରୌଦ୍ରତାପ ଜନିତ କଷ୍ଟ । ପାଦତଳର ଜ୍ୱାଳା ବି ପ୍ରଶମିତ ହେଲାପରି ଲାଗୁଥାଏ । ମନେ ମନେ ଠାକୁରଙ୍କୁ ଆଉଥରେ ଧନ୍ୟବାଦ ଦେଇ ବାହୁଡ଼ିଲି । ବାଇଶି ପାହାଚ ଉପରେ ପୁଣି ଧସେଇ ପଶିଲା ସେ ପିଲା କଥା । ମନଟା ପୁଣି ସନ୍ତୁଳି ହେଇଉଠିଲା ଅଜଣା ଆଶଙ୍କାରେ । ଏମିତି ଅନାବନା ପ୍ରଶ୍ନ ସବୁ ଆବୋରି ବସୁଥାଏ ମନକୁ । ଚଞ୍ଚଳ ଚଞ୍ଚଳ ପାଦ ପକାଉ ପକାଉ ମଝିରେ ମଝିରେ ଉହୁଁକି ଚାହୁଁଥାଏ ବାହାରକୁ । କାଇଁ ସେ ଦେଖାଯାଉନି ତ ! ଛାତିଟା ମୋର ଦାଉଁ ଦାଉଁ ହୋଇ ଥରିବାକୁ ଆରମ୍ଭ କରିଦେଇଥାଏ । କେତେବେଳେ ଯେ ମୁଁ ବାହାରେ ସେ ଧ୍ୟାନ ନଥାଏ । ଟିକେ ଭଲକରି ଦେଖିବାରୁ ଅରୂଣସ୍ଥମ୍ଭ ପଛପଟୁ ହାଲ୍କା ଦେଖାଗଲା ସେଇ ପିଲାଟି…. ଓଃ ହୋ ! ଯାହାହେଉ, କୁଆଡ଼େ ଯାଇନି ସେ । ଲମ୍ବା ନିଶ୍ୱାସଟିଏ ପଞ୍ଜରାତଳୁ ବାହାରି ଆସି ଛାତିର ବୋଝକୁ କମ କରିପକେଇଲା ଏକବାରେ । ବୁଲିପଡ଼ି ଆଉଥରେ ମୁଣ୍ଡିଆ ମାରିଲି ସିଂହଦ୍ୱାର ସାମ୍ନାରେ ।

ମତେ ଦେଖୁ ଦେଖୁ ତାର ସେ ମୁଣିରୁ ବାହାର କଲା ମୋ ମୋବାଇଲ ଆଉ ବଢ଼େଇଦେଲା ହାତକୁ । ମୋବାଇଲ ପକେଟରେ ରଖି ଜୋତା ପିନ୍ଧୁ ପିନ୍ଧୁ ଲକ୍ଷ୍ୟକଲି ଆଉ କିଛି ଜୋତା/ଚପଲ ରଖାହେଇଥାଏ ସେଇ ପାଖାପାଖି । ସେ ଭିତରେ ତା ସହ ବିଶେଷ କିଛି କଥାବାର୍ତ୍ତା ହେଇନି ଆଉ । ଶୀଘ୍ର ଭୁବନେଶ୍ୱର ପହଞ୍ଚିବାର ମାନସିକତା ନେଇ ଆଗକୁ ଯାଉ ଯାଉ ହଠାତ ସେ ପିଲାକଥା ମୁଣ୍ଡରେ ପଶିଲା । ଏଡ଼େ ଛୋଟ ପିଲାଟାଏ, ସ୍କୁଲଯିବା ବୟସ, ହେଲେ ଏଇଠି ଜୋତା ଚପଲ ରଖୁଛି କଣ ପାଇଁ? ପଛକୁ ଫେରି ଚାହିଁଲି, ସେମିତି ଠିଆ ହୋଇ ଯାତ୍ରୀମାନଙ୍କୁ ଡାକୁଥାଏ ଜୋତା/ଚପଲ ରଖିବା ପାଇଁ । ଦୟା ହେଲା । ସତ କହୁଛି, ଭାରି ଦୟା ହେଲା । ପଛକୁ ଫେରି ପକେଟରୁ ପଚାଶ ଟଙ୍କିଆ ନୋଟଟିଏ ବାହାର କରି ଗଲି ତା ପାଖକୁ । ନୋଟଟି ତା ଆଡ଼କୁ ବଢ଼େଇ କହିଲି,

-ନେ, ଏଇଟା ତୋ ପାଇଁ !

-ନାଇଁ ଆଜ୍ଞା, ଜୋତା ରଖିବା ପଇସା ଗଲାବେଳେ ଦେଇଥିଲେ । ଆଉ ମୁଁ ଖାଲିରେ କାହାଠୁ ପଇସା ରଖେନି ।

ଏତିକି କହି ସେ ପୁଣି ବ୍ୟସ୍ତ ରହିଲା ତା କାମରେ ଆଉ ମୁଁ ନିର୍ଲିପ୍ତ ନୟନରେ ଚାହିଁଥାଏ ତାକୁ । ମନେ ମନେ ଭାବୁଥାଏ ପିଲାଟା ସଚ୍ଚୋଟ ହେବା ସହ ସାଙ୍ଘାତିକ ସ୍ୱାଭିମାନୀ ବି । ହସ ଲାଗିଲା ନିଜର ନିର୍ବୋଧତା ଉପରେ । ମୋ ଚିନ୍ତାଧାରା ଏ କୁନି ପିଲାଟାର ଚିନ୍ତାଧାରା ତୁଳନାରେ କେତେ ଛୋଟ ସତେ ! ଲାଗୁଥିଲା ମୁଁ ଯେମିତି ତା’ ଠାରୁ ଛୋଟ ଛୁଆ ହେଇଯାଉଛି ତା ଆଗରେ ! ମୋ ଭାବନାରେ ପୂର୍ଣ୍ଣଛେଦ ଟାଣିଲା ତା ଡାକ

-ବାବୁ ଜୋତା ରଖିବେ ଜୋତା ! ମାତ୍ର ଦଶ ଟଙ୍କା ମୋବାଇଲ ସହ

-ହଁ ଆଜ୍ଞା ଏଇଠି ରଖନ୍ତୁ, ମାତ୍ର ଦଶ ଟଙ୍କା

ଏଥର ତା' ସ୍ୱରରେ ସ୍ୱର ମିଳେଇ କହିଲି ମୁଁ

ଆମ କଥାରେ ରାଜି ହୋଇ ଆଉ ଦୁଇଜଣ ରଖିଲେ ସେମାନଙ୍କ ଜୋତା ଆଉ ଚାଲିଗଲେ ଭିତରକୁ । ମୋବାଇଲ ଫୋନ ଦୁଇଟିକୁ ବ୍ୟାଗରେ ରଖୁ ରଖୁ ମୋ ଆଡ଼କୁ ମୁହଁ ବୁଲେଇଲା

-ଆଚ୍ଛା ଗୋଟେ କଥା ପଚାରିବି କହିବୁ?

– ?? (ପ୍ରଶ୍ନିଳ ଆଖିରେ ଚାହିଁଲା)

– ତୁ ସ୍କୁଲ ନ ଯାଇ ଏଇଠି ଏମିତି?

– (କିଛି ନ କହି ନିରବ ରହିଲା ସେ)

– ସ୍କୁଲରେ ତ କେତେ କଣ ମିଳୁଛି । ନୂଆ ପୋଷାକ, ଜୋତା, ବହି, ଖାତା ପୁଣି ଦ୍ୱିପହର ଖାଇବା ବି ! ତେବେ ତୁ ଯାଉନୁ କଣ ପାଇଁ??

କିଛି ସମୟ ନିରବ ରହି ସେ କହିଲା-

– କଣ ଆଉ କରିବି ଯେ ! ବାପା ମରିଗଲା । ଏବେ ବୋଉ ଦେହ ଖରାପ । ସବୁବେଳେ ଖାଲି କାଶୁଛି । କତରାରେ ପଡ଼ିଚି । ଉଠୁନି ଜମା । ମୁଁ ଆଉ କଣ କରିବି ଯେ !

ତା’ର ଏଇ କେଇପଦ କଥାରେ ମନଟା ବତୁରିଗଲା । ଯେମିତି ହଠାତ ଗୋଟେ କଳାହାଣ୍ଡିଆ ମେଘ ଆସି ଅସରାଏ ବର୍ଷାରେ ଭିଜେଇଦେଲା ମତେ ! ଆପେ ଆପେ ମୋ ହାତ ଚାଲିଗଲା ତା’ ମୁଣ୍ଡ ଉପରକୁ । ଏଥର ଧୀର ଗଳାରେ ପଚାରିଲି

– ବାପାର କଣ ହେଇଥିଲା କି? ମରିଗଲେ ଯେ??

– ବୋଉ କହୁଥିଲା ସେ କୁଆଡ଼େ ବହୁତ ମଦ ପିଉଥିଲା । ଦିନସାରା ରିକ୍ସା ଚଳେଇ ଯାହା ପାଉଥିଲା ସଞ୍ଜରେ ଘରକୁ ଆସିଲାବେଳେ ପେଟେ ପି କି ଆସୁଥିଲା ଆଉ ବୋଉକୁ ମାରୁଥିଲା । ମୁଁ ବି କେତେଥର ଦେଖିଚି । ଦିନେ ସଞ୍ଜରେ ମୁଁ ପଢ଼ୁଥାଏ, ପୁଲିସି ଆସିଲା । ବୋଉର ମୋର ପୁଲିସି ପାଖକୁ ଯାଇ ଦେଖିଲୁ ବାପା ସେମିତି ପଡ଼ିଚି ତଳେ । ହୁଲ ନାହିଁ କି ଚୁଲ ନାହିଁ । ପୁଲିସି କଣ ବୋଉକୁ କହିଲାପରେ ବୋଉ ଖାଲି କାନ୍ଦିଲା । ଯୋରରେ ଯୋରରେ କାନ୍ଦିଲା ଆଉ ତାକୁ ଦେଖି ମୁଁ ବି କାନ୍ଦିଲି । ତା ପରେ କିଛି ଲୋକ ବାପାକୁ ନେଇ କୁଆଡ଼େ ପୋଡ଼ିଦେଇ ଆଇଲେ ।

ଏତିକି କହିସାରି ଚୁପ ରହିଲା ସେ । ମୁଁ ବି । ହେଲେ ଭାବୁଥାଏ ମୃତ୍ୟୁ କଣ ଜାଣିନଥିବା ଜଣେ ନିଷ୍ପାପ ଶିଶୁ ୟା’ଠାରୁ ଆଉ କଣ ଭଲ ବର୍ଣ୍ଣନା କରିପାରିଥାନ୍ତା ତା’ ବାପାର ମୃତ୍ୟୁର !! ମୋ ଆଖି ଜକେଇ ଆସୁଥାଏ ଆଉ କଣ୍ଠ ବାଷ୍ପରୁଦ୍ଧ । କିଛି ସମୟର ନିରବତା ଭଙ୍ଗକରି ସେ ପୁଣି ଆରମ୍ଭ କଲା

-ମୁଁ ବି ସ୍କୁଲ ଯାଉଥିଲି । ତୁର୍ତିୟରେ ପଢ଼ୁଥିଲି । ବାପା ମଲାର କିଛିଦିନ ପରେ ବୋଉର କାଶ ଆରମ୍ଭ ହେଲା । ଦିନକୁ ଦିନ ଜୋରରେ ଜୋରରେ କାଶିଲା ଆଉ ପେଲି ହେଲା । କୁଆଡ଼େ କାମକୁ ଯାଇ ପାରିଲାନି । କିଛିଦିନ ପରେ ଘରେ ଖାଇବାକୁ କିଛି ନଥିଲା । ମୁଁ ଆଉ ସ୍କୁଲ ଗଲିନି । ଭାବିଲି ମୁଁ କମେଇବି । ବହି ବସ୍ତାନି ଘରେ ଫୋପାଡ଼ି ବାହାରକୁ ବାହାରିଲି । ବୁଲି ବୁଲି ଦାଣ୍ଡକୁ ଆସିଲି । ଦେଖିଲି ମୋ ଭଳିଆ କେତେ ପିଲା ଏଇଠି ଭିକ ମାଗୁଛନ୍ତି । ୟା ଆଗରେ ତା ଆଗରେ ହାତ ପାତୁଛନ୍ତି । ହେଲେ ମୁଁ ସେମିତି କଲିନି । ବୋଉ ଦିନେ କହିଥିଲା, ନିଜ ମେହନତରେ କମେଇବୁ ପଛେ କା’ ଆଗରେ ହାତ ପାତିବୁନି । ତା କଥା ମନେପଇଲା । ଚାଲି ଚାଲି ଏଇଠିକି ଆଇଲି, ସିହଁଦୁଆର ପାଖକୁ । ଭାରି ଭୋକ ହଉଥାଏ । ସେଇଠି ଯୋଉଁ ଗୋଡ଼ ଧୋଉଚନ୍ତି, ସେଇଠିକୁ ଯାଇ ପେଟେ ପାଣି ପି’ଲି ଆଉ ମନେ ମନେ ଠାକୁରଙ୍କୁ ଡାକିଲି । ଅଳପ ସମୟ ପରେ ଜଣେ କାଳିଆ ଲୋକ କୋଉଠି ଥିଲେ ଆସି ଦଶ ଟଙ୍କାଟିଏ ହାତରେ ଗୁଞ୍ଜିଦେଇ କହିଲେ, “ଦେଖ ! ମୋ ଜିନିଷ ଉପରେ ଟିକେ ନଜର ରଖିଥା । ମୁଁ ଏଇ ଗଲି ଆଉ ଏଇ ଆଇଲି” । ତା ପରେ ସେ ଭିତରକୁ ଚାଲିଗଲେ । ମୁଁ ତାଙ୍କ ଜିନିଷ ସେମିତି ଜଗିରହିଲି । କେତେ ସମୟ ପରେ ସେ ଆସିଲେ ଆଉ ତାଙ୍କ ଜିନିଷ ନେଇ ଚାଲିଗଲେ । ମତେ ଦଶ ଟଙ୍କା ମିଳିଗଲା । ଗୋଟେ ପାଞ୍ଚ ଟଙ୍କିଆ ବିସ୍କୁଟ ଖାଇ ପାଣି ପି’ଲି ଆଉ ପାଞ୍ଚ ଟଙ୍କା ପାଖରେ ରଖିଲି । ପୁଣି ସେଇଠି ଆସି ଠିଆ ହେଲି । ସେଦିନ ମତେ ତିରିଶ ଟଙ୍କା ମିଳିଲା । ସେଇ ଦିନଠୁ ଏଇଠି ଠିଆ ହଉଚି । କେତେଥର ଏଇ ଦୋକାନର ଲୋକ ମୋ ଟଙ୍କା ଛଡ଼େଇ ନେଲେଣି ଆଉ କେତେ ଥର ମାଇଲେଣି । ହେଲେ ମୁଁ ଏଠୁ କୁଆଡ଼େ ଯାଇନି । ହକ ମେହନତ କରୁଛି ଆଉ ଯେତିକି ନବାକଥା ନଉଚି । ହେଲେ କାହା ଆଗେ ହାତ ପାତୁନି ।

ଏତିକି କହି ଚୁପ ରହିଲା ପିଲାଟି ଆଉ ତା କାମରେ ବ୍ୟସ୍ତ ରହିଲା । କିଛି ସମୟ ସେମିତି ଠିଆହେଇ ରହିଲି ମୁଁ ଆଉ ସେ ଟଙ୍କାକୁ ୱାଲେଟ ରେ ରଖିଲି । କାରଣ ମୁଁ ଜାଣି ସାରିଥିଲି ଯେ ସେ ଏ ଟଙ୍କାକୁ କେବେବି ନେବନାହିଁ । ଫେରିବା ପୂର୍ବରୁ ଆଉଥରେ ତା ମୁଣ୍ଡ ଉପରେ ହାତ ରଖିଲି ଆଉ କହିଲି

– ବାବୁରେ ! କେବେ କାହାରିକୁ ଡରିବୁନି । ସେଇ ଯୋଉ ମନ୍ଦିରରେ ବସିଛି ନା, ସେ କାଳିଆ ତୋ ପାଖେ ପାଖେ ସବୁବେଳେ ଅଛି । ସେ ତୋର ମଙ୍ଗଳ କରିବ ।

ଆଖିରେ ଲୁହ ଆସୁନଥାଏ, ହେଲେ ଭିତରୁ ଏକ ଅଜଣା କୋହ ରୁନ୍ଧି ପକାଉଥାଏ ବାରମ୍ବାର । ଭାରି ଭାରି ମନ ନେଇ ଫେରିଲି ମୁଁ । ବାଟ ସାରା ବାରମ୍ବାର ତଉଲୁଥାଏ ମୋ ସଙ୍କୁଚିତ ମାନସିକତାକୁ ତାର ସେଇ ବିସ୍ତୀର୍ଣ୍ଣ ମାନସିକତା ସହ ଆଉ ବାରମ୍ବାର ପରାଜିତ ହେଉଥାଏ । ସତରେ ଏଡ଼େ ଛୋଟ ଛୁଆଟିଏ କେତେବଡ଼ ଜୀବନ ଦର୍ଶନ ଶିଖେଇ ଦେଲା ମତେ ! ଜୀବନର ସବୁ ପ୍ରତିକୂଳ ପରିସ୍ଥିତିରେ ବି ବଞ୍ଚିବା ଶିଖିଛି ସେ । ହାରି ନଯାଇ ସଂଘର୍ଷ କରିବା ଶିଖିଛି ସେ । ଅସହାୟତାର ଯେ କୌଣସି ପରିପୂରକ ନଥାଏ ତାହା ଶିଖିଛି ସେ….

ତା' କଥା ଭାବି ଭାବି କେତେବେଳେ ଯେ ଆସି ବସରେ ବସି ସରିଥାଏ ଜାଣି ନଥାଏ ମୁଁ । ବସ କଣ୍ଡକ୍ଟରର ଡାକରେ ସମ୍ମୋହନ ଫେରି ଚାହିଁଲି । ସେତେବେଳକୁ ବସ ପୁରୀ ଛାଡ଼ି ସାରିଥାଏ । ହେଲେ ମନଟା ମୋର ଘୁରିବୁଲୁଥାଏ ଅରୁଣ ସ୍ତମ୍ଭ ପାଖରେ, ସେ ପିଲାର ଚାରିପାଖେ । ଉଦାସ ମନ ଭିତରୁ ଦୀର୍ଘ ଶ୍ୱାସଟିଏ ବାହାରି ଆସିଲା । ଆଉଥରେ ମନେ ପକେଇବାକୁ ଚେଷ୍ଠାକଲି ତାକୁ । କଣ ଥିଲା ତା ନାଁ ଟା? ଆରେ ! ମୁଁ ଯେ ପଚାରିବାକୁ ଭୁଲିଗଲି !!

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba free eMagazine and online web Portal