ତ୍ରେତୟା ଯୁଗରେ ଥରେ ପିତା ଯମଦାଗ୍ନିଙ୍କର ଆଦେଶ ପାଳନ କରିବାକୁଯାଇ ମାତା ରେଣୁକାଙ୍କୁ ହତ୍ୟା କରିଥିଲେ ବାଳକ ପର୍ଶୁରାମ । ପିତା ଖୁସିହୋଇ ବର ଯାଚନ୍ତେ, ମାତାଙ୍କ ପୁନର୍ଜୀବନ ମାଗିଥିଲେ ସେ… କାରଣ ସେ ଜାଣିଥିଲେ ‘ମା’ ଏ ସଚରାଚର ବ୍ରହ୍ମାଣ୍ଡରେ ଅଦ୍ଵିତୀୟା । ତାଙ୍କ ସ୍ଥାନ ଆଉ କେହିବି ନେଇପାରିବେ ନାହିଁ । ଜଣେ ମା’ର ତା ସନ୍ତାନମାନଙ୍କ ପ୍ରତି ତ୍ୟାଗର ପଟାନ୍ତର ନଥାଏ… ସ୍ୱୟଂ ଭଗବାନ ବି ମାତୃଋଣ ସୁଝିପାରି ନଥିଲେ ଶହସ୍ର ବର୍ଷର ଜୀବନ କାଳରେ, ଆମେ ତ ତୁଚ୍ଛ ମନୁଷ୍ୟ ! ହେଲେ ବେଳେ ବେଳେ ମା’ ଓଠରେ ହସହେଇ ଝରିଯିବାର କାରଣ ହେବା ବି ବଡ଼ ସୌଭାଗ୍ୟ । ହେଉ ପଛେ କିଛି କ୍ଷଣ ପାଇଁ !!
୨୦୧୨ ଅପ୍ରେଲ ୧୨ ତାରିଖ ଗୁରୁବାର, ଅଫିସ କାମ ସାରି ତରତର ହେଉଥାଏ ଘରକୁ ଫେରିବାକୁ କି ହଠାତ ମନେପଡ଼ିଲା ଗହଣା ଦୋକାନକୁ ଯିବାକଥା ! କୋଉ ଦୋକାନକୁ ଯିବି ଭାବି ଭାବି ହୋଇ ଜୋତା ପିନ୍ଧୁଥିଲାବେଳେ ମୋ ଅନ୍ୟମନସ୍କତାକୁ ଲକ୍ଷ୍ୟକରି ମୋ ଏମ.ଡି ପଚାରିଲେ
-କଣ ତାପସ ! ଭାରି ବିବ୍ରତ ଦେଖାଯାଉଛ? କ'ଣ ହେଲା?
-ନାଇଁ ସାର ! ଟିକେ ଗହଣା କିଣିବାର ଥିଲା ତ ସିଦ୍ଧାନ୍ତ କରିପାରୁନି କୋଉଠୁ କିଣିବି
-ଓଃ ଏଇ କଥା… ଚନ୍ଦ୍ରଶେଖରପୁର ରାସ୍ତାରେ ତନିଷ୍କର ନୂଆ ସୋରୁମ ଖୋଲିଛି । ସେଇଠି ଭଲ ଡିଜାଇନର ଗହଣା ମିଳୁଛି ବୋଲି ତମ ମ୍ୟାଡ଼ାମ କହୁଥିଲେ । ଚାଲ ମୁଁ ଘରକୁ ଯିବାବାଟରେ ତମକୁ ସେଇଠି ଡ୍ରପ କରିଦେବି ।
ଦୁହେଁ ତାଙ୍କ ଗାଡ଼ିରେ ବସିଲୁ ଆଉ ଡ୍ରାଇଭର ନେଇଚାଲିଲା ଗନ୍ତବ୍ୟ ସ୍ଥାନକୁ । କିଛି ସମୟର ନିରବତା ପରେ ସାର ପୁଣି ପଚାରିଲେ
-କ'ଣ କିଣିବାର ଥିଲା ତାପସ?
-କାନଫୁଲ ସାର
-ଆଚ୍ଛା ! ବାହାଘର ପାଇଁ ତା' ହେଲେ ଏବେଠୁ ଗହଣା କିଣା ଆରମ୍ଭ ହେଲାଣି !!
-ନାଇଁ ସାର…
-ତେବେ କେହି ସ୍ପେସିଆଲ ହେଇଥିବେ ନିଶ୍ଚୟ…
ମୁଁ ଉତ୍ତର ଦେବା ଆଗରୁ ଗାଡ଼ି ପହଞ୍ଚି ସାରିଥିଲା ସୋରୁମ ଆଗରେ ଆଉ ମତେ ଡ୍ରପ କରି ସାର ଚାଲିଗଲେ ତାଙ୍କ ବାଟରେ । ତନିଷ୍କ ଭିତରେ ପଶି ପଚାରି କାନଫୁଲ ସେକ୍ସନ ପାଖରେ ପହଞ୍ଚୁ ପହଞ୍ଚୁ ସେଲସ ଗାର୍ଲ ଅଭିବାଦନ ଜଣାଇ ବସିବାକୁ କହିଲା ଆଉ ପଚାରିଲା
-How can I help you sir?
-I need a pair of earrings.
-and what’s your range sir?
-range no bar madam.
-okay… And is it bridal ??
-no… It's for a lady.
-(smiled) then she must be special…
-yes ! She is.
ଅନେକ ଡିଜାଇନ ଦେଖିଲା ପରେ ଶେଷକୁ ଗୋଟେ ପସନ୍ଦର ବାଛିଲି ଆଉ ବିଲ୍ ଦେଇ ବାହାରିପଡ଼ିଲି ଗୃହାଭିମୁଖେ । କେଜାଣି କାହିଁକି ମନ ଅଜଣା ଖୁସିରେ ପୁରି ଉଠୁଥାଏ । ଘରେ ପହଞ୍ଚି ଗତାନୁଗତିକ କାର୍ଯ୍ୟ ସମ୍ପାଦନ କରି ଶୋଇପଡ଼ିଲି ଆଗାମୀ ସକାଳର ପ୍ରତୀକ୍ଷାରେ… ସକାଳ ହେଲା, ଯେ ଯାହା କାମରେ ବ୍ୟସ୍ତ ହୋଇଗଲେ ସମସ୍ତେ । ମୁଁ ପକେଟରୁ ବାହାରକଲି ସେ ଛୋଟ ଫରୁଆଟି ଆଉ ଚୁପଚାପ ନେଇ ରଖିଦେଲି ତା ପ୍ରସାଧନ ଡବାରେ । କାରଣ ମୁଁ ଜାଣିଥିଲି ସେ ଗାଧେଇସାରି ସେଇ ଡବାକୁ ପ୍ରଥମେ ଖୋଲିବ ଆଉ ଖୋଲୁ ଖୋଲୁ ନଜର ପଡ଼ିବ ନୂଆ ଫରୁଆ ଉପରେ…
ତା’ ପରେ ତାର ପ୍ରତିକ୍ରିୟା କଥା ଭାବି ଭାବି ମନେ ମନେ ବଡ଼ ଖୁସି ହେଉଥାଏ କି ବାପା କହିଲେ
-ଆରେ ଟିକେ ବଜାରକୁ ଯାଉନୁ ! ଆଜି ପରା ପଣା ସଂକ୍ରାନ୍ତି । କଣ ଟିକେ ଫଳ ଆଉ ଛେନା ନ ଆଣିଲେ ପଣା କେମିତି ହେବ?
-ହଉ ଯାଉଚି
ମନଟା ମୋର ହଠାତ ପାଣିଚିଆ ହେଇଗଲା । ମଣିଷ କେତେ କଣ ଭାବିଥିଲା । ସେ କାନଫୁଲ ଖୋଲି ଦେଖିଲା ବେଳେ କି ପିନ୍ଧିଲାବେଳେ ତା’ ପ୍ରତିକ୍ରିୟା ଦେଖିବ ବୋଲି କେଡ଼େ ଆଶା କରିନଥିଲା ସତେ ! ଛାଡ… ଏମିତି ଭାବି ଭାବି ବଜାର ବାହାରିଲି ମୁଁ ଆଉ ପଣା ପାଇଁ ସବୁ କିଣାକିଣି କରି ଘରେ ପହଞ୍ଚୁ ପହଞ୍ଚୁ ଘଣ୍ଟାଏ ହେଇଗଲା । ଠାକୁର ଘରେ ସେସବୁ ରଖି ବାହାରକୁ ବାହାରିଛି କି ଶୁଣାଗଲା
-ଟିଙ୍କୁନି ଟିକେ ଏଠିକୁ ଆସିଲୁ
(ମା ମତେ ଏଇ ନା’ରେ ଡାକେ)
-ହଁ ଆସୁଛି….କଣ ହେଲା ?
-ବସ
-??
-ଏଇଟା ତୁ ଆଣିଥିଲୁ ନା ? ମତେ କାଇଁ କହିନଥିଲୁ ?? (ମା ହାତରେ ଥିଲା ମୁଁ ଆଣିଥିବା କାନଫୁଲ)
-ବାସ ଏମିତି । ଭାବିଲି ତତେ ଟିକେ ସାରପ୍ରାଇଜ ଦେବି….କେମିତି ହେଇଚି ? ତତେ ପସନ୍ଦ ଆସିଲା ??
-ବହୁତ ସୁନ୍ଦର ହେଇଚି ଆଉ ଓଜନ ବି ! ବହୁତ ଟଙ୍କା ନେଇଥିବ ନା ?
-ମା’… ଛାଡ ସେ ସବୁ.ଆଗ ପିନ୍ଧିଲୁ କେମିତି ଦେଖାଯାଉଛି
-ଆଜି ତ ଆଉ ପିନ୍ଧିହେବନି, ମୁଁ କାଲି ପିନ୍ଧିବି
-କାଇଁ ??
-ଆରେ ଆଜିପରା ସଂକ୍ରାନ୍ତିଟା । ଦେହରୁ ସୁନା କଢ଼ାହୁଏନି.ଆଉ ଏଇଟା ନ କାଢ଼ିଲେ ସେଇଟା କେମିତି ପିନ୍ଧିବି ?
-ତୁ ଆଉ ସେ ନିୟମ ଦେଖାନା…ଖୋଲ
-ଆରେ ମତେ ବାଧ୍ୟ କର ନା । ଏଇଟା ଠିକ ନୁହେଁ
-ମା,ଏମିତି ଗୋଟେ ସଂକ୍ରାନ୍ତିରେ, ମୋ ଫର୍ମ ଫିଲ୍ଅପ ପାଇଁ ତୁ ତୋ କାନଫୁଲ କାଢ଼ି ନମ ବୁଢ଼ୀ ପାଖେ ବନ୍ଧରଖି ଟଙ୍କା ଆଣିଥିଲୁ । ଯଦି ସେଇଟା ସେତେବେଳେ ଠିକ ଥିଲା, ଆଜି ଏଇଟା ବି ଠିକ !
ମା ଆଶ୍ଚର୍ଯ୍ୟ ହୋଇ ଚାହିଁ ଥାଏ ମତେ ଆଉ ମୁଁ ଖୋଲୁଥାଏ ତା କାନରୁ ତା ପୁରୁଣା କାନଫୁଲ । ଖୋଲିସାରି ନୂଆ ପିନ୍ଧେଇଲି ଆଉ ଦର୍ପଣ ଦେଖେଇ କହିଲି
-ଦେଖ ତ । କେଡ଼େ ସୁନ୍ଦର ଲାଗୁଚି ତୋ ମୁହଁକୁ !!
ମା ବସିଥାଏ ସେମିତି ଚୁପଚାପ । ଶାନ୍ତ ଆଉ ଗମ୍ଭୀର । ନୀରବତା ଭଙ୍ଗକରି ମୁଁ ପୁଣି କହିଲି
-ତୁ ଭାବୁଚୁନା ମୁଁ ତୋର ଏତେବଡ଼ ଗୋପନ କଥା କେମିତି ଜାଣିଲି? ତୁ ସେଦିନ ବାରିପଟ ଚାଳିଆ ପାଖେ କାନରୁ କାନଫୁଲ କାଢ଼ି ନମ ବୁଢ଼ୀ ହାତକୁ ବଢ଼େଇ ଦେଲାବେଳେ ମୁଁ ସେଇ ଚାଲିଆ ଭିତରେ ଥିଲି ଲୋ ମା ! ସମସ୍ତେ ଜାଣିଲେ ତୁ ଲୁଚେଇ ସଂଚୟ କରିଥିବା ଟଙ୍କାରେ ମୋ ଫର୍ମ ପୂରଣ ହେଲା, ହେଲେ ସତଟା କଣ ମୁଁ ଜାଣିଥିଲି ଲୋ…
ମା କାନ୍ଦୁଥିଲା ଖୁବ ଜୋର ରେ । ତା ଆଖିରୁ ଲୁହ ପୋଛିଲି, କୁଣ୍ଢେଇ ଧରି କହିଲି
-ଛି ! ତୁ କାନ୍ଦୁଛୁ ? ସେତେବେଳେ ଦୁଃଖର ଦିନରେ ତ ତୋ’ ଆଖିରେ ଲୁହ ଦେଖିନି, ଆଉ ଆଜି ଯେବେ ସୁଖର ଦିନ ଆସିଛି ତୁ କାନ୍ଦୁଛୁ?
କିଛିସମୟ ସେମିତି ଆଲିଙ୍ଗନରେ ଚାପିଧରିଲି ମା’କୁ । ଗଲାଦିନର ସେଇ ମୁହୂର୍ତ୍ତ ସବୁ ଉଜ୍ଜୀବିତ ହୋଇଉଠିଲେ କିଛି କ୍ଷଣ ପାଇଁ ଆଉ ମିଳେଇଗଲେ ଦଲକାଏ ପବନରେ ମୁଠାଏ ବାସ୍ନା ମିଶିଯିବାପରି । ମନଟା କେମିତି ଗୋଟେ ପ୍ରଶାନ୍ତିର ଘନ ଛାଇରେ ଘୋଡ଼େଇ ହେଇଗଲା । ଲାଗୁଥାଏ ସେ ଛାୟାର ଶୀତଳତା ଆଗରେ ବୈଶାଖ ମାସର ଟାଣୁଆ ଖରା କଅଁଳା ବାଛୁରୀ ପରି କୁଦା ମାରୁଥାଏ ଅଗଣାସାରା । ସେ ଖୁସିକୁ ଶବ୍ଦରେ ପ୍ରକାଶ କରିବା ସମ୍ଭବ ନଥିଲା । ମୋ ଭାବନାରେ ବିରାମ ଆଣି ମା କହିଲା,
-ଛାଡ଼ ମତେ, ତେଣେ ଠାକୁର ପୂଜା ପାଇଁ ଉଛୁର ହେଲାଣି ।
-ତୁ ଆଗେ କହ, କି ତୁ ଆଉ କେବେ କାନ୍ଦିବୁନି
-ହଉ ହେଲା…ଏବେ ତ ଛାଡ଼ !
-ଜାଣିଛୁ ମା’, ସେଦିନ ମୁଁ ସେଇ ଚାଳିଆରେ ବସି ବହୁତ କାନ୍ଦିଛି । ଧିକ୍କାରିଛି ନିଜକୁ, ମୋ ନପାରିଲା ପଣକୁ ଆଉ ଆମ ଦାରିଦ୍ରତା କୁ… କାହିଁକି କେଜାଣି ସେଦିନ ପ୍ରଥମଥର ନିଜକୁ ଘୃଣା କରିଥିଲି ବହୁତ । ଆଉ ମନେ ମନେ ସଂକଳ୍ପ ବି କରିଥିଲି କି ମୋ ପାଇଁ ଯେଉଁ ‘କାନଫୁଲ’ କୁ ବନ୍ଧା ରଖିଥିଲୁ, ତାହାହିଁ ହେବ ମୋର ପ୍ରଥମ ଉପହାର, ତୋ ପାଇଁ ! ୟା ଭିତରେ କେତେ ବର୍ଷ ବିତିଗଲାଣି, ହେଲେ ମୋ ସଂକଳ୍ପ ମୋ’ ଭିତରେ ସେମିତି ବଞ୍ଚିଥିଲା । ଖାଲି ଯାହା ସୁଯୋଗ ମିଳିନଥିଲା । ଆଉ ଆଜି ଏତେଦିନ ପରେ ସେ ସୁଯୋଗ ମିଳିଛି ।
କାନିରେ ଆଖି ପୋଛୁ ପୋଛୁ ମା’ କହିଲା
-ଆଜି ଜାଣିଲି, ମୋ ପୁଅ ବଡ଼ ହେଇଗଲାଣି !
-ନାଇଁ ଲୋ ମା’, ତୋ ପାଇଁ ତୋ ପୁଅ ସବୁବେଳେ ଛୋଟ ହେଇ ରହିବ । ଯେମିତି ଆଗରୁ ଥିଲା ସେମିତି !
କାନରୁ କାନଫୁଲ ଖୋଲୁଥିବାର ଦେଖି ମୁଁ ପୁଣି କହିଲି
-ମା’ ଥାଉ… କାଇଁ ଖୋଲୁଚୁ… ଭଲ ଦେଖାଯାଉଛି ତୋ ମୁହଁ କୁ !
-ଦେ ଉଠ ବା ! ମଲା ଗାଈର ଟାଙ୍କ ଖୋଜା ହଉଚି !!
-ମା’ !
-ଆରେ ମୋର କଣ ଆଉ ସଉକ ହେବାର ବୟସ ଅଛି ! ବୁଢ଼ୀ ହେଲିଣି ପରା… (କାନଫୁଲ କୁ ଫରୁଆରେ ରଖୁ ରଖୁ) ଏଇଟା ଥାଉ, ମୋ ବୋହୁ ଆସିଲେ ପିନ୍ଧିବ !
-!?
-ଦେ ଚାଲ ଯିବା… ଠାକୁର ପୂଜା ଡେରି ହେଲାଣି । ଆଜି ପଣାସଂକ୍ରାନ୍ତି ବୋଲି ମନେଅଛିଟି?
-(ଘରୁ ବାହାରୁ ବାହାରୁ) ମୁଁ ସେସବୁ କିଛି ଜାଣିନି । ଖାଲି ଏତିକି ଜାଣେ, ଆଜି ମୋ ମା’ର ଜନ୍ମଦିନ….
ବି.ଦ୍ର. :- ମା ଆଜି ବି ସେ କାନଫୁଲକୁ ସାଇତି ରଖିଛି ତା’ ବୋହୂ ପାଇଁ 🙂
Life doesn’t come with a manual,
It comes with a mother
- ତାପସ ରଞ୍ଜନ
No comments:
Post a Comment