New

Post Top Ad

Shubhapallaba free eMagazine and online web Portal

Thursday, July 21, 2022

ମେଟ୍ରିକ ପରୀକ୍ଷା

Matric Exam (ମେଟ୍ରିକ ପରୀକ୍ଷା) by Tapas Ranjan

କ୍ଳାନ୍ତ ଅପରାହ୍ନରେ ଅବଶ ଶରୀରକୁ ଶେଯ ଉପରେ ଲୋଟାଇ ଆଖି ବନ୍ଦକରି ଭାବିବାକୁ ଚେଷ୍ଟାକଲେ ଆପେ ଆପେ ଖୋଲିହେଇଯାଏ ଜୀବନର ପୃଷ୍ଠା ସବୁ । ହସ-ଲୁହସିକ୍ତ ମୁହୂର୍ତ୍ତ ସବୁରେ ଲେଖା ପ୍ରତ୍ୟେକ ପୃଷ୍ଠା ଭାସିଯାଏ ଆଖି ଆଗରେ; କିଛି ଝାପସା କିଛି କିଛି ପରିଷ୍କାର… ପଢ଼ୁ ପଢ଼ୁ କେତେବେଳେ ଯେ ଭାବପ୍ରବଣ ହୋଇଯାଏ ଜଣାପଡେନି । ଭାରି ମନର ଭାଷା କେବେ ଆଖି ଦେଇ ଝରିଯାଏ ତ କେବେ ଓଠରେ ଫୁଟିଉଠେ ଖୁସିର ମୁହୂର୍ତ୍ତ ସବୁ । ସେହିସବୁ ପୃଷ୍ଠା ସବୁକୁ ଏକାଠି ଗୁନ୍ଥିଦେଲେ ତ ହେଇଯାଏ ଜୀବନ…. ଠିକ ନା? ସେମିତି କଛି ପୃଷ୍ଠା ଲେଉଟାଇବାର ସୁଯୋଗ ମିଳିଲା ଯେବେ ମ୍ୟାଡ଼ାମ କୁମାରୀକା (@kumariika) କ୍ୟୁରେଟ କରୁଥିଲେ ଵିଆରବିବିଏସଆର (@WeAreBBSR) ଆଉ ଜାଣିବାକୁ ଚାହିଁଥିଲେ ମେଟ୍ରିକ ପରୀକ୍ଷାକୁ ନେଇ ନିଜ ନିଜର ଅନୁଭୂତି ।


ପ୍ରକୃତ ଅର୍ଥରେ ମେଟ୍ରିକ ପରୀକ୍ଷା ମୋ ପାଇଁ ଆରମ୍ଭ ହୁଏ ପ୍ରିଟେଷ୍ଟ ପରୀକ୍ଷା ପରେ । କହିବାରେ କୌଣସି କୁଣ୍ଠାବୋଧ ନାହିଁ କି ମୋର ପରୀକ୍ଷାରେ ବହୁତ କମ୍ ନମ୍ବର ଥିଲା । ଏତେ କମ୍ ଯେ ଏବେ ଭାବିଲେ ଭାରି ହସଲାଗେ । ହେଲେ ସେଇ କମ୍ ନମ୍ବର ହିଁ ଆଣିଥିଲା ମୋ ଜୀବନରେ ବିରାଟ ବଡ଼ ପରିବର୍ତ୍ତନ ଆଉ ପକେଇଥିଲା ମୋ ଭବିଷ୍ୟତର ମୂଳଦୁଆ । ଦିନେ ଅର୍ଦ୍ଧସୁପ୍ତାବସ୍ଥାରେ ବାପା ଆଉ ପଡ଼ିଶାଘର ଜଣେ କାକା କଥାହେବାର ଶୁଣିଲି । କଥୋପକଥନର କେନ୍ଦ୍ରବିନ୍ଦୁ ଥିଲି ମୁଁ ଆଉ ସଦ୍ୟ ପ୍ରକାଶିତ ମୋ କମ୍ ନମ୍ବର । ବାପା କାନ୍ଦୁଥିଲେ ଆଉ କହୁଥିଲେ “ମୋର ଆର୍ଥିକ ଅବସ୍ଥା ଯାହା ତ ତୁ ଜାଣିଛୁ । ଭଲରେ ପିଲାଙ୍କୁ ଟ୍ୟୁସନ ଟିକେ ବି ଦେଇପାରୁନି, ସେଥିରେ ଯଦି ପିଲା ପଢ଼ିବେନି ଆଉ ଏତେ କମ୍ ନମ୍ବର ରଖିବେ ମୁଁ କଣ କରିପାରିବି କହିଲୁ କାଳୁ?” (କାଳୁ ସେହି କାକାଙ୍କ ନାଁ’) ଆଉ କଣ କଣ ସବୁ କଥା ହେଉଥିଲେ ମତେ ଶୁଭିଲାନି । ଅସ୍ପଷ୍ଟ ଶବ୍ଦସବୁ ପବନରେ ମିଳେଇଯାଉଥିଲା ଧୀରେ ଧୀରେ… ହେଲେ ବାପାଙ୍କର ସେଇ ଦି’ପଦ କଥା ମୋ ଚାରିପଟେ ଘୁରିବୁଲୁଥିଲେ କବନ୍ଧ ମାନଙ୍କ ଭଳି । ଲାଗୁଥିଲା ସତେ ଯେମିତି ସେଗୁଡିକ ପଶିଯାଇଛନ୍ତି ମୋ ରକ୍ତ ଭିତରେ ଆଉ ମୋ ମସ୍ତିଷ୍କର ଧମନୀରେ ପ୍ରହାର କରୁଥାନ୍ତି ବାରମ୍ବାର । ଶୋଇପାରିଲିନି ସେ ରାତିସାରା, ଛଟପଟ ହେଇ କଡ଼ ଲେଉଟାଇ ପାହିଗଲା ରାତି । ସେଇ ରାତିରେ ହିଁ ମନେ ମନେ ପ୍ରତିଜ୍ଞା କଲି କି ଟେଷ୍ଟ ପରୀକ୍ଷାରେ ନିଶ୍ଚୟ ଭଲ ନମ୍ବର ରଖିବି ଆଉ ବାପାଙ୍କ ଆଖିରେ ଲୁହ ପରିବର୍ତ୍ତେ ତାଙ୍କ ଓଠରେ ହସ ଫୁଟେଇବି…


ପ୍ରତିଜ୍ଞା ପରର ଯାତ୍ରା ଏତେ ସହଜ ନଥିଲା ମୋ ପାଇଁ, ଥିଲା ବନ୍ଧୁର ଆଉ କଣ୍ଟକିତ ! ରାତିରେ ଉଠି ପଢ଼ିବା ଥିଲା ତାହାର ପ୍ରଥମ ସୋପାନ । ବଖୁରିକିଆ ଚାଳଛପର ଘରେ ରାତି ଦଶଟା ପରେ, ସମସ୍ତେ (ଚାରି ଭାଇ ଭଉଣୀ ଓ ମା) ଶୋଇଗଲା ପରେ ମୁଁ ଉଠେ, ମୋ ପଢ଼ା ବହିପତ୍ର ଧରେ ଆଉ ଯାଏ ବାଡ଼ିପଟେ ଥିବା ଛୋଟ ଜାଳଭାଡ଼ି ଚାଳିଆକୁ । ସେଇଠି ଜଳେ ଲଣ୍ଠନ ବା ଡିବି (ସେତେବେଳେ ଆମଘରେ ବିଜୁଳି ନଥିଲା) ଆଉ ମିଞ୍ଜି ମିଞ୍ଜି ଆଲୁଅରେ ଚାଲେ ସଂଘର୍ଷ ଶବ୍ଦ ଓ ସଂକେତ ମାନଙ୍କ ସହ । ସକାଳେ କ୍ଳାସ ପାଠ, ଦିନରେ ସ୍କୁଲ, ସନ୍ଧ୍ୟାରେ ଟ୍ୟୁସନ ଓ ରାତିରେ ସାଙ୍ଗ ମାନଙ୍କଠାରୁ ମାଗି ଆଣିଥିବା ଟେଷ୍ଟପେପରର ସେଟ୍ କରିବା ଥିଲା ମୋର ସବୁଦିନର ରୁଟିନ ।


ବୋଧହୁଏ ମୋ ବର୍ଣ୍ଣନାଟା ଏତେ ଭଲ ହେଉନି । ବୋର ହେଇଯାଉଛନ୍ତି ନା? ଚାଲନ୍ତୁ ଗୋଟେ ମଜା କଥା କହୁଛି… ଆମ ସ୍କୁଲରେ ତୃତୀୟ ଭାଷାରେ କେବଳ ସଂସ୍କୃତ ପଢ଼ାହେଉଥିଲା ଆଉ ଦୁର୍ଭାଗ୍ୟକୁ ମୋର ସେଇଟା ବିଲକୁଲ ଭଲ ହୁଏନି । କଷ୍ଟେମଷ୍ଟେ ପାସ କରିଗଲେ ବହୁତ ବଡ଼ ଲାଗୁଥିଲା । ଆମ ସଂସ୍କୃତ ପଣ୍ଡିତେ ଥିଲେ ଡା. ଦେବେନ୍ଦ୍ର ନାଥ ମିଶ୍ର ମହୋଦୟ, ଯାହାଙ୍କୁ ଦେଖିଲେ ମତେ ଲାଗୁଥିଲା ଯେମିତି ସାକ୍ଷାତ ଯମରାଜା ଆସିଗଲେ ମର୍ତ୍ତ୍ୟକୁ । ତା’ର ବି ଗୋଟେ ବିଶେଷ କାରଣ ଥିଲା । ମୋ ଜ୍ଞାତସାରରେ ଏମିତି କୌଣସି ପିରିଏଡ଼ ନଥିଲା ଯେଉଁଥିରେ ପଣ୍ଡିତେ ମତେ ପ୍ରଶ୍ନ ପଚାରିନଥିବେ ଆଉ ହାଇ ଡେସ୍କ ଉପରେ ଠିଆ କରେଇ ଦଣ୍ଡ ଦେଇନଥିବେ ! ଥରେ ମୋର ଆଦୌ ମନେରହୁନଥିବା ଶବ୍ଦରୂପ ଆଉ ଧାତୁରୂପ ପଚାରିଲେ ଆଉ ମୁଁ ଚିରାଚରିତ ଢଙ୍ଗରେ ଭୁଲ ଉତ୍ତର ହିଁ ଦେଲି । ମୋ ଭୁଲ ଉତ୍ତରର ଦଣ୍ଡ ସ୍ୱରୂପ ଦଶ ବେତ ପାହାର ମିଳିବାର ଥିଲା ହେଲେ ୮ ପାହାର ପରେ ୯ ବେଳକୁ ମୁଁ କଷ୍ଟ ସହିନପାରି ବେତକୁ ଧରି ପକେଇଲି । ତା’ ପରେ ମୋ ଅବସ୍ଥା ଯାହାହେଲା ନ କହିବା ଭଲ…. ସେହି ପଣ୍ଡିତଙ୍କ ପାଇଁ ହିଁ ବୋର୍ଡ଼ ପରୀକ୍ଷାରେ ମୁଁ ସଂସ୍କୃତରେ ନବେ ପତିଶତ ନମ୍ବର ଆଣିପାରିଥିଲି । ସେଦିନ ସେ ଯେତିକି ଆଶ୍ଚର୍ଯ୍ୟ ହେଇନଥିଲେ, ତା’ଠୁ ଅଧିକ ଖୁସି ହୋଇଥିଲେ ! ମୋ ପାଇଁ…


ସେମିତି ଆଉଜଣେ ଶିକ୍ଷକ ଥିଲେ ମନୋରଞ୍ଜନ ପଟ୍ଟନାୟକ, ସମସ୍ତଙ୍କ ପ୍ରିୟ ମନୁ ସାର୍, ଆମ ଗଣିତ/ବିଜ୍ଞାନ ଶିକ୍ଷକ । ଯାହାଙ୍କ କଥା ନକହିଲେ ମୋ କଥା କେବେ ପୂରଣ ହେବନି । ଯାହାଙ୍କୁ ମୁଁ ଆଜିବି ଠାକୁରଙ୍କ ପରି ଭକ୍ତି କରେ । ଯଦିଓ ମୁଁ ତାଙ୍କର ପ୍ରିୟ ଶିଷ୍ୟ ଅର୍ଜ୍ଜୁନ ନଥିଲି, ସେ କିନ୍ତୁ ଥିଲେ ମୋର ଚିର ଆରାଧ୍ୟ ଦ୍ରୋଣାଚାର୍ଯ୍ୟ । ଆଜି ଯାହାକିଛି ବି ଶିଖିଥାଏ କେବଳ ତାଙ୍କ ପାଇଁ । ଥରେ ତ୍ରିକୋଣମିତୀ ପରୀକ୍ଷାରେ ଅଧ ମାର୍କ କମ ଥିଲା ବୋଲି ଗୋଟେ ପିରିଅଡ ଡେସ୍କ ଉପରେ କାନଧରି ଠିଆ କରେଇଥିଲେ । ଏଇଥିପାଇଁ ନୁହେଁ କି ମୁଁ ଭୁଲ୍ କରିଥିଲି ବରଂ ଏଇଥିପାଇଁ କି ସେ ମୋ’ଠାରୁ ପୂର୍ଣ୍ଣ ନମ୍ବର ଆଶା କରୁଥିଲେ । ପୁରା ସ୍କୁଲରେ କେବଳ ସେ ହିଁ କହୁଥିଲେ କି ମୁଁ ପରୀକ୍ଷାରେ ଭଲ କରିବି ବୋଲି । ଅନ୍ୟମାନେ ତାଚ୍ଛଲ୍ୟ କରୁଥିବା ବେଳେ ସେ କିନ୍ତୁ ସାହସ ଦେଉଥିଲେ ଆଉ ବଢ଼ାଉଥିଲେ ଆତ୍ମବିଶ୍ଵାସ । ଶ୍ରେଣୀରେ ତାଙ୍କ ପାଠପଢ଼ାକୁ ଧ୍ୟାନର ସହ ଅନୁଶରଣ କରିବା ସହିତ ସନ୍ଧ୍ୟାବେଳେ ଆମ ସ୍କୁଲଘରେ ସେ ପଢ଼ାଉଥିବା ଟ୍ୟୁସନକୁ ବି ଯାଉଥିଲି । ଗଣିତ ଆଉ ବିଜ୍ଞାନ ସହ ଇଂରାଜୀ ବି ପଢ଼ାଉଥିଲେ ସେ ଆଉ ତା’ ସହ ପ୍ରତ୍ୟେକ ପିଲାଙ୍କର ବିଶେଷ ଧ୍ୟାନ ବି ରଖୁଥିଲେ । ପାଠ ସହ ଅନେକ କିଛି ଶିଖିବାର ସୁଯୋଗ ପାଇଛି ତାଙ୍କଠାରୁ । ସେଦିନର ଏକଲବ୍ୟ ନିଜର ବୃଦ୍ଧ ଅଙ୍ଗୁଳି ଛେଦନ କରି ସିନା ଗୁରୁଦକ୍ଷିଣା ଅର୍ପଣ କରିଥିଲା ହେଲେ ମୁଁ ଏଯାଏଁ ମୋ ଗୁରୁଙ୍କର ଦକ୍ଷିଣା ଦେଇପାରିନାହିଁ । ଥରେ ବ୍ୟାଙ୍କରେ ଏମିତି ସାରଙ୍କ ସହ ଦେଖା ହେଇଗଲା । ପାଦଛୁଇଁ ମୁଣ୍ଡିଆମାରିଲି । ସାର ମୋ ମୁଣ୍ଡଉପରେ ହାତ ରଖିଲେ, ଭଲମନ୍ଦ ପଚାରି ବୁଝିଲେ ବି । କିଛିସମୟ ପରେ ଉଭୟଙ୍କ କାମ ସରିଗଲା ପରେ, ମୋ ଭିତରେ ବର୍ଷ ବର୍ଷ ଧରି ଜମାଟ ବାନ୍ଧିଥିବା କଥାକୁ ସାରଙ୍କୁ କହିଲି…


– ମନେଅଛି ସାର ! ଦଶମ ବୋର୍ଡ ପରୀକ୍ଷାର କିଛିଦିନ ଆଗରୁ ମତେ ଟ୍ୟୁସନ କ୍ଲାସରେ ଠିଆ କରିଥିଲେ? ମୁଁ ଚାରି ମାସର ଫିସ୍ ଦେଇନଥିଲି ବୋଲି??

– ତୁ ସେକଥା ଏବେବି ମନେରଖିଛୁ?

– ହଁ ସାର ! ଆପଣଙ୍କ ଆଶୀର୍ବାଦରୁ ମୁଁ ଆଜି ଆପଣଙ୍କ ସେଦିନର ଫିସ ଦେବାପାଇଁ ସକ୍ଷମ । ହେଲେ ବିଶ୍ୱାସ କରନ୍ତୁ ସାର ସେଦିନ ବାପା ଆପଣଙ୍କ ଫିସ ଦେବାକୁ ବାସ୍ତବରେ ଅକ୍ଷମ ଥିଲେ ଆଉ ଆଜି ମୁଁ ଜାଣି ଜାଣି ଆପଣଙ୍କୁ ଦଉନି

– ??

– ଦୁନିଆର କୌଣସି ଶିଷ୍ୟ ତା ଗୁରୁର ଋଣ ସୁଝି ପାରିବନି ଆଉ ମୁଁ ତ କେବେବି ନୁହେଁ ! ମୁଁ ମଲାଯାଏଁ ଆପଣଙ୍କ ପାଖେ ଋଣୀ ରହିବାକୁ ଚାହେଁ ସାର… ସେଲାଗି…

ମୋ କଣ୍ଠ ବାଷ୍ପରୁଦ୍ଧ ହେଇଆସିଲା ଆଉ ଆଖିରେ ଥିଲା ଲୁହ । ସାର ମୋ ଆଖିରୁ ଲୁହ ପୋଛିଲେ, ମୁଣ୍ଡଉପରେ ହାତ ରଖିଲେ ଆଉ କହିଲେ

– ଯେଉଁଦିନ ତୁ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପସ୍ କଲୁ,ସେଇଦିନ ମତେ ମୋ ଫିସ ମିଳିଯାଇଥିଲାରେ… ମନଦୁଃଖ କରନା । ଯା’ ଭଗବାନ ତତେ ଭଲ ମଣିଷଟିଏ କରନ୍ତୁ !


ସାର ବୁଲିପଡ଼ି ଯାଉ ଯାଉ ଚଷମା କାଢ଼ି ଆଖି ପଛୁଥିବାର ଦେଖିଲି । ବୋଧହୁଏ ସାରଙ୍କ ଆଖିରେ ବି ଲୁହ ଥିଲା ! ମୁଁ ଠିଆ ହେଇ ସାରଙ୍କ ଯିବାବାଟାକୁ ଚାହିଁଥିଲି ଆଉ ଭାବୁଥିଲି- ସାର ଆପଣ ହିଁ ତ ମୋ ପାଇଁ ସାକ୍ଷାତ ଭଗବାନ !!


ସବୁଠୁ ମଜାକଥା କଣ ଜାଣନ୍ତି? ବୋର୍ଡ ପରୀକ୍ଷାର ଗୋଟେ ମାସ ପୂର୍ବ ପର୍ଯ୍ୟନ୍ତ ମୋ ପାଖରେ ଟେଷ୍ଟପେପର ନଥିଲା । ସାଙ୍ଗମାନଙ୍କଠାରୁ ମାଗି ମାଗି ରାତିରେ ପଢ଼ୁଥିଲି ଆଉ ସକାଳେ ଫେରେଇ ଦଉଥିଲି… ମୋ ପରିଶ୍ରମର ଫଳ ମିଳିଲା ଟେଷ୍ଟ ପରୀକ୍ଷାରେ । ସମସ୍ତଙ୍କ ଅନୁମାନକୁ ଭୁଲ ପ୍ରମାଣିତ କରି ମୁଁ ଭଲ ନମ୍ବର ରଖିଲି ଆଉ ମୋ ପ୍ରତିଜ୍ଞା ରଖି ବାପାଙ୍କ ଓଠରେ ହସ ଆଣିଲି । ତା’ପରେ ମୋ ଭିତରେ ଯେମିତି ପାଠ ପଢ଼ିବାର କ୍ଷୁଧା ବଢ଼ି ବଢ଼ି ଚାଲିଲା ଆଉ ମୁଁ ଅନ୍ୟକିଛି ଚିନ୍ତା ନ କରି କେବଳ ପଢ଼ିବାରେ ମନଦେଲି । ବନ୍ଧୁମାନଙ୍କ ସାହାଯ୍ୟ, ଶିକ୍ଷକ ମାନଙ୍କ ସହଯୋଗ ତଥା ଆଶୀର୍ବାଦ ଆଉ ମୋ ପ୍ରଚେଷ୍ଟା ଓ ଅଧ୍ୟବସାୟ ବଳରେ ମୁଁ ଖୁବ ଭଲ ନମ୍ବର ରଖିପାରିଥିଲି ବୋର୍ଡ଼ ପରୀକ୍ଷାରେ । କହିବା ବାହୁଲ୍ୟ କି ମୁଁ ଥିଲି ଆମ ସାହିର ପ୍ରଥମ ପିଲା ଯିଏ ଏତେ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲା !!


ଆପଣମାନେ ମୋ ବ୍ଲଗ ପଢ଼ିସାରିବା ପରେ ମତେ ଉପହାସ କରିପାରନ୍ତି ! ସେ ସୁଯୋଗ ଆପଣମାନଙ୍କୁ ଦେଉଛି । ହେଲେ ଅତୀତର ଘଟଣା ଯେତେ ଯନ୍ତ୍ରଣାଦାୟକ ହେଲେ ମଧ୍ୟ ତାହା ମଧୁର । ଯେମିତି ମରୁଭୂମିର ଓଟ କଣ୍ଟାଗଛକୁ ଖାଇଲା ବେଳେ, କଣ୍ଟା ସହିତ ନିଜ ଓଠରୁ ଝରୁଥିବା ରକ୍ତକୁ ବି ପିଏ ଓ ଭାବେ ଏହା ସତରେ କେତେ ମିଠା ! ଠିକ ସେମିତି….


ପ୍ରତ୍ୟେକ ଜୀବନ ଗୋଟେ ଗୋଟେ ଗଳ୍ପର ସମାହାର- ଗୋବିନ୍ଦ ଦାସ


- ତାପସ ରଞ୍ଜନ

No comments:

Post a Comment

Shubhapallaba free eMagazine and online web Portal

Post Top Ad

Shubhapallaba free eMagazine and online web Portal