ଅନେକ ବେଳୁ ବସିଛି ମୁଁ
ତମରି ଅପେକ୍ଷାରେ
କେତେବେଳେ ଫୋନ ବାଜିଉଠିବ କ୍ରିଂ କ୍ରିଂ କ୍ରିଂ…
ଆଉ ଆରପାଖରୁ ଶୁଭିବ ତୁମ ମିଠା ସ୍ୱର
‘ହୁଁ… ଆଉ କ'ଣ ଖବର?’
ଚାହିଁ ଚାହିଁ ରାତି ସରେ, ତୁମ ଅନୁପସ୍ଥିତି କଅଁଳ ଅନ୍ଧାର ହୋଇ ଝରିଯାଏ,
ତାରାମାନେ ଚାଲିଯାନ୍ତି ଶୋଇବାକୁ
ଆଖି ମଳି ମଳି
ମୁଁ ଯାଏ ଆଉଥରେ ବ୍ୟସ୍ତ ହେବାପାଇଁ
ପୁଣି ପ୍ରସ୍ତୁତି ଚାଲିବ
ଧାଇଁବାକୁ ଚିକ ଚିକ ମରୀଚିକା ପଛେ
ପୁଣି ଯୋଜନା ଚାଲିବ
ଭାଗ ବାଣ୍ଟିବାକୁ
ନିଜ ଦେହ କଞ୍ଚା ରକ୍ତ ମାଂସର…
ମନକୁ ମୋ ବୁଝେଇଛି
ଦିନେ ତମେ ଆସିବ
ପାହାନ୍ତି କାକରର ସ୍ପନ୍ଦନ ନେଇ
ଝରିଯିବ ବୁନ୍ଦା ବୁନ୍ଦା ଟପ ଟପ
ମୋ ଘୁମନ୍ତ ଆଖିକୁ ଭିଜେଇବା ପାଇଁ
ଅବା ଉଇଁଆସିବ, ସିନ୍ଦୁରା ଫାଟିପଡୁଥିବା
ଦିଗ୍ବଳୟର ଲାଲ ସୂର୍ଯ୍ୟ ହୋଇ
ପ୍ରାଣ ସଞ୍ଚାରିବ ମୋ ଭିତରେ
ପୁଣି ଜଳିଉଠିବ ଦିକ ଦିକ ହୋଇ
ପଶ୍ଚିମ ଆକାଶର ସଞ୍ଜ ତାରାଟିଏ
ଏବେ ମୋ ଭିତରେ
ଚଇତ ର ଶେଷ ଆଭାସ
ତମପାଇଁ ଘୋଷିଥିବା ଗୀତ ଭୁଲିଗଲିଣି କେବେଠୁ
ସଜେଇଥିବା ସ୍ୱପ୍ନସବୁ ଛିଣ୍ଡିଗଲେଣି
ଝରି ଗଲେଣି ଝରାଫୁଲ ହୋଇ
ତଥାପି ମନ କହେ ତମ ଫୋନ ଆସିବ
ତମ ସ୍ୱରରେ ପୁରିଉଠିବ ଚାରିଆଡ଼
ଚୋରା ଚଇତାଳି ମିଠା ଲାଗିବ
ମହ ମହ ବାସିଉଠିବ ଘରସାରା..
କିନ୍ତୁ ମୋ ଶବ୍ଦ ସବୁ ଶୁଖି ଯାଇଥିବ
ତମ ପ୍ରଶ୍ନର ଉତ୍ତର ପାଇଁ,
ମୋ ଆକାଂକ୍ଷା ସବୁ ଘୁରି ବୁଲୁଥିବେ
ପ୍ରତିଧ୍ୱନି ହୋଇ ଫେରୁଥିବେ ମୋ ପାଖକୁ…
- ତାପସ ରଞ୍ଜନ
No comments:
Post a Comment