(ମା’ ପାର୍ବତୀ ଓ ପୁତ୍ର ଗଣେଶଙ୍କ ମଧ୍ୟରେ କଥୋପକଥନ)
କୈଳାସର ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ପରିବେଶର ବେଷ୍ଟନୀରେ ଅବସ୍ଥିତ ସୁରମ୍ୟ କକ୍ଷରେ ଅତ୍ୟନ୍ତ ଚିନ୍ତିତ ଓ ବିଷର୍ଣ୍ଣ ଦିଶୁଥିବା ପୁତ୍ରକୁ ଚାହିଁ ମା’ ପ୍ରଶ୍ନ କଲେ-
ପାର୍ବତୀ– ପୁତ୍ର ଗଜାନନ ! ସଦ୍ୟ ମର୍ତ୍ତ୍ୟରୁ ସମ୍ବତ୍ସରୀକ ଲୀଳାଖେଳା ସାରି କୈଳାସରେ ପାଦ ଦେଇଛ । ତଥାପି ଖୁସି ହେବା ପରିବର୍ତ୍ତେ ଏ ବିଷର୍ଣ୍ଣତା କଣ ପାଇଁ ଧନ?
ଗଣେଶ – ନା ମାତା, ମୋ ବିଷର୍ଣ୍ଣତାର ସେମିତି କିଛି ବିଶେଷ କାରଣ ନାହିଁ । କିନ୍ତୁ….
ପାର୍ବତୀ– ପୁତ୍ର ! ତୁମେ ମୋର ମାନସ ସନ୍ତାନ । ମୋ ଇଚ୍ଛା ଅନୁସାରେ ତୁମକୁ ସୃଷ୍ଟି କରିଥିବାରୁ ତୁମେ ମୋର ଅତ୍ୟନ୍ତ ପ୍ରିୟ । ମୋ ପାଖରେ ତୁମ ମନର କୌଣସି ଜିନିଷ ଅଛପା ନାହିଁ । ତଥାପି ତୁମ ଶ୍ରୀମୁଖରୁ ମୁଁ ଶୁଣିବାକୁ ଚାହିଁବି…
ଗଣେଶ– ମାତା, ମୋତେ କ୍ଷମା କରିବେ । ଆପଣ ତ ସର୍ବଜ୍ଞା ! ଏ ତ୍ରିପୁରରେ କିଛି ବି ଆପଣଙ୍କ ଅଗୋଚରରେ ନାହିଁ, ମୋ ମନ କଥା ବା ରୁହନ୍ତା କିପରି ! ମା’ ଜନନୀ, ଏଥରର ମର୍ତ୍ତ୍ୟ ଯାତ୍ରାରେ ମୁଁ ଖୁବ ବ୍ୟଥିତ ଆଉ ମର୍ମାହତ !
ପାର୍ବତୀ– କାହିଁକି ପୁତ୍ର??
ଗଣେଶ– ମାତା ! ମୋର ବାର୍ଷିକ ପୂଜା ପାଇଁ ଅତି ଆଗ୍ରହର ସହ ଅପେକ୍ଷା କରିଥାଏ ପ୍ରତିବର୍ଷ । ମର୍ତ୍ତ୍ୟ ଲୋକରେ ଲୋକମାନଙ୍କ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହି ସେ ସବୁକୁ ଉପଭୋଗ କରିବାର ଲାଳସାକୁ ଉପେକ୍ଷା କରିପାରେନି ମୁଁ । ହେଲେ ଧୀରେ ଧୀରେ ସେ ସବୁରେ ମୋର ଆଗ୍ରହ କମିବାରେ ଲାଗିଛି…
ପାର୍ବତୀ– କିନ୍ତୁ କାହିଁକି ପୁତ୍ର? ନୂତନ ଜୀବନ ପାଇଲାପରେ ତୁମେ ଅଗ୍ରପୂଜ୍ୟ ନାମରେ କ୍ଷାତ ହେଲ । ସେଥିପାଇଁ ତୁମର ଲୀଳାଖେଳା ପରେ ହିଁ ଆରମ୍ଭ ହୁଏ ପାର୍ବଣର ଋତୁ । ଯଦି ତୁମେ ହିଁ ମନାକରିବ ତାହେଲେ ଅନ୍ୟ ଦେବାଦେବୀ ପୂଜିତ ହେବେ କିପରି?
ଗଣେଶ– ମାତା ସେଥିପାଇଁ ତ ଇଚ୍ଛା ନଥାଇ ବି ପ୍ରତିବର୍ଷ ଯାଇଥାଏ ଧରାପୃଷ୍ଠ କୁ
ପାର୍ବତୀ– କିନ୍ତୁ ଧନ, ତୁମ ଅନିଚ୍ଛାର କାରଣ କଣ?
ଗଣେଶ– ମାତା ମୋ ଅନିଚ୍ଛାର କାରଣ ଅନେକ । ଧୀରେ ଧୀରେ ଧରାପୃଷ୍ଠରେ ମୋର ପୂଜା ଏକ ପ୍ରହସନରେ ପରିଣତ ହେଲାଣି । ସେଥିପାଇଁ ମୁଁ ପ୍ରାଣେ ପ୍ରାଣେ ମର୍ମାହତ…
ପାର୍ବତୀ– ପ୍ରହସନ? ତାହା କିପରି ପୁତ୍ର??
ଗଣେଶ– କି କହିବି ମାତା ଆଗୋ ଶୁଣ ଦେଇ ଧ୍ୟାନ
ମର୍ତ୍ତ୍ୟପୁରେ ପୂଜା ମୋର ହେଲା ପ୍ରହସନ
ପୁତ୍ର ମର୍ମାହତ ହେ
ମନେ ତାର ଯାଗୁଅଛି ଭିତି ହେ…
ପାର୍ବତୀ– କୁହ ପୁତ୍ରମଣି ମୋର ଛାଡ଼ି ଭୟ ଭିତି
କି କାରଣେ ମର୍ତ୍ତ୍ୟପୁରେ ଏମନ୍ତ ଏ ରୀତି
ମାତା ଚିନ୍ତାମଗ୍ନ ହେ
ସଂଶୟ ଫିଟାଅ ନାହିଁ ଡେରି ହେ…
ଗଣେଶ– ମା, ସାର୍ବଜନୀନ ପୂଜା ଆଜିକାଲି ପ୍ରହସନ ନୁହେଁତ ଆଉ କଣ ! ଏକପକ୍ଷ ପୂର୍ବରୁ ପୂଜା ନାମରେ କମିଟି ଲୋକଙ୍କର ଅତ୍ୟାଚାରରେ ସମସ୍ତେ ତ୍ରସ୍ତ । ଏ ପୂଜା କରାଯାଏ ଶ୍ରଦ୍ଧାରେ, ଭକ୍ତିରେ… ହେଲେ ଆଜିକାଲି ସେ ଶ୍ରଦ୍ଧା କାହିଁ? ଜୋର ଜରବରଦସ୍ତ ପୂଜା ନାମରେ ଚାନ୍ଦା ଆଦାୟକଲେ ଶ୍ରଦ୍ଧା ଆସିବ କିପରି, ପୁଣି ସେଥିରେ ଭକ୍ତି ରହିବ ବା କେମିତି??
ପାର୍ବତୀ– କିଛି ବୁଝିପାରିଲି ନାହିଁ ବତ୍ସ ! ମନରେ ମୋ ସଂଶୟ । ଫିଟାଇ କହିଲେ ସଂଶୟ ଦୂର ହେବ
ଗଣେଶ– ଜନନୀ, ସାର୍ବଜନୀନ ପୂଜା ଆଜିକାଲି ରୂପାନ୍ତରିତ ପ୍ରତିସ୍ପର୍ଦ୍ଧାରେ । ପ୍ରତିକୃତି, ସାଜସଜା ଆଉ ଅନ୍ୟାନ୍ୟ ଆୟୋଜନରେ ଆବଶ୍ୟକ ବିପୁଳ ଅର୍ଥ । ଆଉ ସେହି ସବୁ ଆଦାୟ ହୁଏ ସାଧାରଣ ଜନତାଙ୍କଠାରୁ ଜୋର କରି । ଅର୍ଥ ଦେବାରେ ଅକ୍ଷମ ହେଲେ ଅଶ୍ଳୀଳ ଭାଷାର ପ୍ରୟୋଗ କରିବାକୁ ପଛାନ୍ତି ନାହିଁ ସେମାନେ… ଏତେ ସବୁ ଆୟୋଜନ ଭିତରେ ପ୍ରକୃତ ପୂଜା କିନ୍ତୁ ଛପିଯାଏ ପରଦା ପଛରେ… ଏ ସବୁର କାରଣ ଯେ ମୁଁ, ଭାବିଲେ ମନ ବେଦନାକ୍ତ ହୋଇ ଯାଏ ।
ପାର୍ବତୀ– ପୁତ୍ର ମୋର ! ମର୍ତ୍ତ୍ୟପୁରରେ କଣ ସତରେ ଏପରି ଅବସ୍ଥା?
ଗଣେଶ– ଖାଲି ସେତିକି ନୁହେଁ ଅଗ୍ରପୂଜ୍ୟ ଜନନୀ ! ଆବାହନ ଠାରୁ ବିସର୍ଜନ ପର୍ଯ୍ୟନ୍ତ ଏକ ଅସ୍ୱସ୍ଥିକର ପରିବେଶରେ ସ୍ଥାପନ କରାଯାଏ ମତେ । ଡ଼ାକବାଜି ଯନ୍ତ୍ରର ପ୍ରାବଲ୍ୟତା ଭିତରେ ହଜିଯାଏ ମୋର ମାନସିକ ଶାନ୍ତି ଟିକକ । ଆଉ ରାତ୍ରିର ନିର୍ଜନତା ଭିତରେ ଟିକେ ନିଶ୍ୱାସ ମାରିବାକୁ ସୁଯୋଗ ଖୋଜୁଥିବା ବେଳେ ଆମ୍ଭ ଉପରେ ଶ୍ଵାନ ମାର୍ଜର ମାନଙ୍କର ପ୍ରାକୃତିକ କ୍ରିୟା ସମ୍ପାଦନ ଖୁବ ଅଶ୍ଵସ୍ତି ଆଣିଦିଏ…
ପାର୍ବତୀ– ଗଜାନନ !
ଗଣେଶ– ସେତିକିରେ ସବୁ ସରିଯାଏନି ମାତେଶ୍ଵରୀ ! ଆଗରେ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଥାଇ ବି ମୋ ପଛପଟେ ଯେଉଁ କୁକର୍ମ ଚାଲେ ତାହା ଜାଣିଲେ ଆପଣ ଦୁଃଖରେ ଭାଙ୍ଗି ପଡ଼ିବେ । ଆଗରେ ଧୂପ/ଝୁଣା ହେଲେ ପଛପଟେ ମଦୀରାର ଭୁରି ଗନ୍ଧ, ଆଗରେ ନୈବେଦ୍ୟର ସମ୍ଭାର ପଛରେ ଆମିଷର(ଚାଖଣା ପାଇଁ) ଉତ୍କଟ ବାସ୍ନା, ଆଗରେ କିଏ ଭକ୍ତିରେ ଗଡ଼ିଲାଣି ତ ପଛରେ କିଏ ନିଶାରେ… ଚାଖଣାର ଅଭାବରେ ଅର୍ପଣ କରାଯାଇଥିବା ନୈବେଦ୍ୟରୁ କିଛି ନେଇ ଉଦରସ୍ଥ କରିବାର ଦୃଷ୍ଟାନ୍ତ ବି ଅନେକ ।
ପାର୍ବତୀ-କଣ କହୁଛ ଅଗ୍ରପୂଜ୍ୟ !
ଗଣେଶ-ସବୁଠାରୁ ବେଶୀ କ୍ଳେଶ ତ ବିସର୍ଜନ ସମୟରେ ମା’ ଜନନୀ ! ହୃଦୟ ବିଦାରକ ଉତ୍ସୃଙ୍ଖଳ ସଂଗୀତ ଆଉ ପେଟଭରି ମଦିରାର ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ମୋ କଥା କେହି ବି ବୁଝନ୍ତିନି । ନୈବେଦ୍ୟ କଥା ଛାଡ଼ ମା, ହାତରେ ମୁଣ୍ଡରେ ବାନ୍ଧିବା ପାଇଁ କପଡ଼ାର ଅଭାବ ହେଲେ ମୋ ପିନ୍ଧା ବସ୍ତ୍ରକୁ ନେଇ ବ୍ୟବହାର କରିବାକୁ ମଧ୍ୟ ଏମାନେ ପଛାନ୍ତି ନାହିଁ । ଯୋଜନ ଯୋଜନ ବାଟ ମତେ ବିବସ୍ତ୍ର କରି ଖୋଲା ଗାଡ଼ିରେ ଘୋଷାଡ଼ି ନେଇ ଯାଆନ୍ତି । ଏତେ ଗହଳି ଭିତରେ ଲୋକଲଜ୍ଜାରେ ମୁହଁ ତଳକୁ କରି ନୀରବରେ ଆଖିକୁ କରେ ଲୋତକ ପ୍ଲାବିତ…
ଗଭୀର ଆତ୍ମଗ୍ଲାନିରେ ଜର୍ଜ୍ଜରିତ ତଥା ମର୍ମାହତ ପୁତ୍ରର କାନ୍ଧରେ ସ୍ନେହର ନରମ ସ୍ପର୍ଶ ଦେଇ ସ୍ଥିର ଚକ୍ଷୁରେ ଚାହିଁରହିଥିଲେ ମା’ ଆଦରର ପୁତ୍ରର ମଳିନ ମୁଖମଣ୍ଡଳକୁ । ଏମିତି ନିରବରେ କଟିଗଲା କିଛିକ୍ଷଣ । କୋହ ସମ୍ବରଣକରି ମୁହଁ ବୁଲେଇ ମାତାଙ୍କ ଆଡ଼େ ଚାହିଁଲେ ଗଣେଶ ।
ଗଣେଶ– ବିସର୍ଜ୍ଜନ ସମୟରେ ତ ଅବସ୍ଥା ଅତି କଠିନ ମା ! ବିବସ୍ତ୍ର ହୋଇ ଏତେ ବାଟ ଆସିବାର ଗ୍ଲାନି ମନରୁ ଯାଇ ବି ନଥିବ, ଆରମ୍ଭ ହୋଇଯିବ ଅତ୍ୟାଚାର ମୋ ଶରୀର ଉପରେ । କିଏ ହାତ ଭାଙ୍ଗିଲେଣି ତ କିଏ ଶୁଣ୍ଢ ମୋଡ଼ିଲାଣି ଆଉ ପୁଣି କିଏ କାନ । କଷ୍ଟରେ ଆତ୍ମା ରୋଦନ କରିଉଠେ ଜନନୀ । ଶୀଘ୍ର ବିଦାୟ ନେବାକୁ ମନ ବିକଳ ହୋଇଉଠେ… ଏ ସବୁ ଭିତରେ ମୋ ପ୍ରିୟ ବାହାନ ମୂଷିକ କିନ୍ତୁ ସବୁଠାରୁ ବେଶୀ ଅବହେଳିତ !
ପାର୍ବତୀ– କିନ୍ତୁ ପୁତ୍ର, ବ୍ୟକ୍ତିଗତ ପୂଜା ତ ଭକ୍ତି ଓ ଶ୍ରଦ୍ଧାର ସହ କରାଯାଏ ନା?
ଗଣେଶ– ମାତା ! ବ୍ୟକ୍ତିଗତ ପୂଜା ତ ସାର୍ବଜନୀନ ପୂଜାଠାରୁ ବେଶୀ କଷ୍ଟଦାୟକ । ସେଠି ପୂଜା ନାମରେ ହୁଏ ଆଭିଜାତ୍ୟ, ଗର୍ବ ଆଉ ଅହଙ୍କାରର ଅର୍ଚ୍ଚନା । କିଏ କାହାଠାରୁ କେତେ ଭଲ ବ୍ୟବସ୍ଥା କରିପାରିଛି ତାହାର ଚର୍ଚ୍ଚା ବେଶୀ ଗୁଂଜରିତ ହୁଏ ମନ୍ତ୍ର ଶ୍ଲୋକର ଗୁଞ୍ଜରଣକୁ ପ୍ରତିହତ କରି । ସେ ପରିବେଶ ତଥା ପରିସର ତା’ ଠାରୁ ଅଧିକ ତିକ୍ତ ନୁହେଁ କି ଜନନୀ?
ପାର୍ବତୀ– ତାହେଲେ କଣ ସିଦ୍ଧାନ୍ତ ନେଲ ବତ୍ସ? ସମ୍ବତ୍ସରୀକ ପୂଜା କଣ ସମାପ୍ତ ହୋଇଯିବ?
ଗଣେଶ– ନା ମାତେ ! ଏସବୁ ଭିତରେ କିଛି ଅଛନ୍ତି ଯିଏ ମତେ ଆବାହନ କରନ୍ତି ଭକ୍ତିରେ, ଅର୍ଚ୍ଚନା କରନ୍ତି ଶ୍ରଦ୍ଧାରେ ଆଉ ବିଦାୟ ଦିଅନ୍ତି ଲୋତକପୂର୍ଣ୍ଣ ଚକ୍ଷୁରେ । ମତେ ସେମାନଙ୍କ ପାଇଁ ଯିବାକୁ ହେବ ! ଯିବାକୁ ହେବ ଦେବତା ମାନଙ୍କ ପାଇଁ, ପାର୍ବଣର ଶୁଭାରମ୍ଭ ପାଇଁ, ସେମାନଙ୍କ ମାସ ମାସର ପ୍ରତିକ୍ଷାର ଅନ୍ତ ପାଇଁ । ଯିବାକୁ ହେବ ପିତାଙ୍କର ବାକ୍ୟର ମାନ ରକ୍ଷା ପାଇଁ । ଯିବାକୁ ହେବ ସଚରାଚର ବିଶ୍ୱର କଲ୍ୟାଣ ପାଇଁ….
ଶ୍ରଦ୍ଧାରେ ପୁତ୍ରର କପାଳରେ ହାତ ବୁଲାଇ ଆଣିଲେ ମା ଜଗଦଜ୍ଜନନୀ !!
No comments:
Post a Comment