କିଛିଦିନ ତଳେ ସଂଗ୍ରାମ ସେନାପତି ମାନେ ଗପୁ ବାବୁଙ୍କ ଗୋଟେ ବ୍ଲଗ ପଢ଼ୁଥିଲି । ପ୍ରଥମ ଭାଗଟି ଭାବବିହ୍ୱଳ କରିଦେଲା ମତେ । ମନେପଡ଼ିଗଲା ଅତୀତର ଅନେକ ଅକୁହା କଥା ଯାହା ମୁଁ କେବେ କାହାସହ ଭାଗକରିନି ଏଯାଏ । ସମାଜରେ ଏମିତି ଦଳିତ, ନିଷ୍ପେସିତ, ଅଭାବରେ ସନ୍ତୁଳି ହେଉଥିବା ଲୋକମାନଙ୍କୁ ଦେଖିଲେ ଆଖିରେ ଲୁହ ଆସିଯାଏ । ସେମାନଙ୍କ ପାଇଁ କିଛି କରିପାରେନି ବୋଲି ନିଜକୁ ଗାଳି ଦିଏ, ଧିକ୍କାରେ ମୋ ନପାରିଲାପଣକୁ । ସେମାନଙ୍କ କରୁଣ ଆଖିରେ କୋଉଠି ନା କୋଉଠି ଦିଶିଯାଏ ମୋ ଅଭିଶପ୍ତ, ନିଷ୍ପେସିତ ଶୈଶବ, ଯାହା ମୋତେ ଅଧିକ କଷ୍ଟ ଦିଏ, ବିଦାରି ପକାଏ ମୋ ମନକୁ, ଆତ୍ମାକୁ । ତଥାପି ସେମାନେ ବଞ୍ଚି ରୁହନ୍ତି ଠିକ ଘାସବୁଦା ପରି, ସମୟର କ୍ରୁର ପଦାଘାତରେ ବାରମ୍ବାର ଦଳି ମକଚି ହେଲାପରେ ବି, ସ୍ୱପ୍ନ ଦେଖନ୍ତି, ଖୁବ ଛୋଟ ଛୋଟ, ଆଇସକ୍ରିମ ବା ଚକୋଲେଟ ପରି, ଆଉ ତା’ ଭିତରେ ଖୋଜିବାକୁ ଚେଷ୍ଟା କରନ୍ତି ‘ଖୁସି’କୁ… ।
ମୋ ଜୀବନର ଏମିତି ଏକ ଅକୁହା କଥାକୁ ଏଇଠି ଅବତରଣ କରିବାକୁ ଚାହିଁବି… ଛୋଟ ଥିଲି, ବୟସ ଅଢ଼େଇ କି ତିନି ହେବ ମୋର । କଳାହାଣ୍ଡିର ବିନେକେଲା ଗାଁ'ରେ ରହୁଥାଉ । ପ୍ରତିଦିନ ଆମ ଫାଟକ ପାଖେ ହାତରେ ଛୋଟ କଟରା ଧରି ଠିଆହୁଏ ଜଣେ କିଶୋରୀ । କିଛି କୁହେନି, ଖାଲି ଆମ ଘର ଭିତରକୁ ଚାହିଁରହେ । ମତେ ଭାରି ବିକଳ ଲାଗେ ତାକୁ ଦେଖି । ମା’ ପାଖେ ଯାଇ ଅଳି କରେ ତାକୁ ଖାଇବାକୁ ଦେବାକୁ । କେତେବେଳେ ତା’ ପାଖକୁ ଧାଇଁ ଯାଏ ତ କେତେବେଳେ ମା’ ପାଖକୁ । ମା’ ପଣତ କାନି ଧରି ଅଳି କରୁଥିବି, “ମା’ ଲୋ ଏ ମା’, ତାକୁ ଖାଇବାକୁ ଦେ ! ନ ଖାଇଲେ ସେ ମରିଯିବ” । ଆଉ ମା’ ର ଟିକେ ବିଳମ୍ବ ହେଲେ କବାଟ କଣରେ ବସି କାନ୍ଦୁଥିଲି । ପୁଣି କବାଟ ଫାଙ୍କରୁ ତାକୁ ଦେଖୁଥିଲି ଆଉ ମା’ ପାଖକୁ ଧାଉଁଥିଲି । ଶେଷରେ ମା’ ତାକୁ ଖାଇବାକୁ ଦେଉଥିଲା ଆଉ ସେ ଖୁସିରେ ଗଲାପରେ ମୋ କାନ୍ଦ ବନ୍ଦ ହେଉଥିଲା । ଏମିତି କିଛିଦିନ ଗଲାପରେ ସେ ଆଉ ଆସିଲାଣି ହେଲେ ସବୁଦିନ ପରି ମୁଁ ଅପେକ୍ଷା କରୁଥାଏ ତାକୁ । ଦିନେ, ଦୁଇଦିନ, ତିନିଦିନ ଗଲାପରେ ମା’କୁ ପଚାରିଲି ତା’ କଥା । ମା’ ଖାଲି ଏତିକି କହିଲା, “ସେ ମରିଗଲା” ଆଉ ମୁଁ ଅନେକ ଦିନ ମନେ ମନେ ଖୋଜିଲା ପରେ ଧୀରେ ଧୀରେ ଭୁଲିଗଲି… ।
ଅନେକ ବର୍ଷ ପରେ ମା’ଠୁ ଜାଣିବାକୁ ପାଇଲି ତା’ କଥା । ପାଖ ଗାଁ ‘ଲୁହରି ପଡ଼ା’ ର ଗୋଟେ ନିପଟ ଗରୀବ ଘରର ଛ’ ପିଲାଙ୍କ ଭିତରୁ ସେ ଥିଲା ଜଣେ । ଅଭାବର ତତଲା ନିଆଁରେ ସବୁଦିନ ସିଝୁଥିବା ସେ ପିଲା ଜଣେ କୁଷ୍ଠ ରୋଗୀ ହେବା ବୋଝ ଉପରେ ନଳିତା ବିଡ଼ା ସଦୃଶ ଥିଲା । ଚିକିତ୍ସା ର ଅବହେଳା ଆଉ ତତ୍କାଳୀନ ସାମାଜିକ କୁ ସଂସ୍କାର ର ବେଡ଼ି ଧୀରେ ଧୀରେ ମୃତ୍ୟୁ ପଥକୁ ସୁଗମ କରିବାରେ ଲାଗିଲା । ଘରୁ, ସମାଜରୁ ବାସନ୍ଦ ହେଲା ପରେ ଉଦରର ଜ୍ୱାଳା କୁ ପ୍ରଶମିତ କରିବାପାଇଁ ଏକମାତ୍ର ବାଟ ଥିଲା- ଭିକ୍ଷା ବୃତ୍ତି । ଗାଁ ରେ ଗୌନ୍ତିଆ ଘରଠୁ ସାହୁ ଘର ଯାଏଁ ସମସ୍ତେ ମାରଧର କରନ୍ତି, ଗାଳି ଗୁଲଜ କରନ୍ତି, ଖାଇବାକୁ ଦେବା ତ ଦୂରର କଥା ! ଶେଷରେ ସେ ଆସେ ଆମ ଘରକୁ, ଖାଇବା ନିଏ ଆଉ ପଡ଼ିରହେ ଦିନସାରା ସ୍କୁଲ ପାଖ ରାସ୍ତାକଡ଼ ଜାମୁଗଛ ମୂଳେ ।
ଶୈଶବରୁ କୈଶୋରଓ ଯୁବାବସ୍ଥାରେ ଉପନୀତ ହେଲା ପରେ ବି ମୋ ମାନସପଟରୁ ତା’ କଥା ବିସ୍ମୃତ ହୋଇନାହିଁ । ବରଂ ବେଳେବେଳେ କଷ୍ଟ ଦେଇଛି ଆଉ ଏମିତି ଗୋଟେ ଗୋଟେ ଘଟଣା ଆଖି ଆଗକୁ ଆସିଗଲେ ଆପେ ଆପେ ଟାଣି ହେଇଯାଇଛି ତା' ପାଖକୁ । ତା' ଶୁଖିଲା ମୁହଁ ଆଉ କରୁଣ ଆଖି ଆଡ଼କୁ । ଖାଲି ସେ ନୁହେଁ, ଆଜି ବି ଆଖପାଖରେ, ବଜାରରେ, ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ରାସ୍ତାଘାଟରେ ଏମିତି ଅସହାୟ ମାନଙ୍କୁ ଦେଖିଲେ ମନ ବିକଳ ହୋଇ କାନ୍ଦେ । ବିକ୍ଷିପ୍ତ ଅଲରା କେଶ, ଜୀର୍ଣ୍ଣଶୀର୍ଣ୍ଣ ଶରୀର, ଲଜ୍ଜା ଢାଙ୍କିବାକୁ ଅକ୍ଷମ ଚିରା ଫଟା ବସ୍ତ୍ର, ବିଷର୍ଣ୍ଣ ମୁହଁ ଆଉ ଓଦା ଓଦା ଆଖି ଦେଖିଲେ ସରକାରଙ୍କ ସବୁ ଯୋଜନା ନଗ୍ନ ହୋଇ ସେମାନଙ୍କ ସାମ୍ନାରେ ଭୂଇଁରେ ଲୋଟୁଥିବା ପରି ମନେ ହୁଏ । ହାତରେ ଧରିଥିବା ପାତ୍ରରେ ଟଙ୍କେ ଦୁଇଟଙ୍କା ପକେଇଦେଇ ଆମେ ଆମ କର୍ତ୍ତବ୍ୟ ସରିଗଲା ବୋଲି ଭାବୁ । ହେଲେ ସତରେ କଣ ଆମର କର୍ତ୍ତବ୍ୟ ସେଇଠି ସରିଯାଏ? ତା ପରେ କଣ ଆମର ଆଉ କିଛି ଦାଇତ୍ୱ ନଥାଏ?? ଆଖି ଆଗରେ ଜଣେ ସ୍କୁଲ ପିଲା ଆଉ ଜଣେ ଭିକ ମାଗୁଥିବା ପିଲାକୁ ଦେଖି ମନ ବିଦ୍ରୋହ କରେନି? ଦାମୀ ହୋଟେଲ ବା ରେଷ୍ଟୁରାଣ୍ଟ ରେ ଖାଉଥିବା ଲୋକ ଆଉ ଅଳିଆଗଦାରୁ, ରେଳ ଧାରଣାରୁ ଗୋଟେଇ ବାଛି ବାଛି ଖାଉଥିବା ବ୍ୟକ୍ତି କୁ ଦେଖିଲେ ଆତ୍ମା ଆନ୍ଦୋଳିତ ହୁଏନି? ମଣିଷ ମଣିଷ ଭିତରେ ଏ ବ୍ୟବଧାନ, ଏ ଅସମାନତା କଣ ପାଇଁ?
ଦିନେ ମାର୍କେଟ ବିଲଡ଼ିଙ୍ଗ ରେ କିଣା କିଣି କରୁଥିବାବେଳେ ହଟାତ ମୋ ହାତକୁ ପଛକୁ ଟାଣି ଧରିଲା କିଏ । ପଛକୁ ଫେରି ଦେଖେ ତ ମୋ ହାତକୁ ଧରିଥାଏ କୁନି ଝିଅ । ବୟସ ଚାରି/ପାଞ୍ଚ ହେବ । ମଳିନ ଚେହେରା, ଶୁଖିଲା ମୁହଁ, ସ୍ଥିର ବଡ଼ ବଡ଼ ଆଖି ଦୁଇ… ପିନ୍ଧିଥିଲା ଅନେକ ଦିନ ହେବ ସଫା ହୋଇନଥିବା ଫ୍ରକ ଟିଏ । ମୁଁ ପଚାରିଲି କଣ ହେଲା? ସେ ତା’ର କୁନି ପାପୁଲିକୁ ମୋ ଆଗକୁ ବଢ଼େଇଦେଲା ଖାଲି । ମୁଁ ପୁଣି ପଚାରିଲି ପଇସା ନେଇ କଣ କରିବୁ? ସେ ତା ହାତକୁ ପାଟି ଆଡ଼କୁ ନେଇ ଖାଇବ ବୋଲି ସଂକେତ ଦେଲା । କିଛି ସମୟ ଚାହିଁଲି ତାକୁ, ତା’ ଆଖିରେ ଅସହାୟତା ଛଡ଼ା କିଛିବି ଦେଖାଗଲାନି ମତେ । କହିଲି, ଚାଲ ଖାଇବୁ । ପାଖରେ ଥିବା ଚାଟ ଦୋକାନରେ ତା’ ପାଇଁ ଚାଟ ବରାଦ ଦେଇ ଅପେକ୍ଷା କଲି । ସେ ଖାଉଥାଏ ଆଉ ମୁଁ ଭାବୁଥାଏ, ସତରେ ସେ ମତେ ସତ ହିଁ କହୁଥିଲା(ଯଦିଓ ଭଲଭାବେ ଜାଣେ ରାଜଧାନୀରେ ବ୍ୟାପିଥିବା ଭିକମଗା ଗ୍ୟାଙ୍ଗ କଥା) । ସେ ଖାଇସାରିବା ପରେ ଆହୁରି ଦଶ ଟଙ୍କା ଦେଇ ଚାହିଁରହିଲି ସେ ମାର୍କେଟ ଫାଟକ ଅତିକ୍ରମ କରିବା ପର୍ଯ୍ୟନ୍ତ । ଗୋଟେ ଭଲ କାମ କରିଥିବାର ଖୁସିରେ ଫାଟି ପଡ଼ୁଥିଲା ବେଳେ ପରୀ(ମୋ ପ୍ରେମିକା) କହିଲା, ”ମୁଁ ବହୁତ ଖୁସି ଯେ ତମେ ତାକୁ ଖାଇବାକୁ ଦେଲ, ହେଲେ ଏତିକିରେ କଣ ତୁମର ତା’ ପ୍ରତି ଥିବା କର୍ତ୍ତବ୍ୟ ସରିଗଲା??” ଚାହିଁ ରହିଲି ପରୀକୁ କିଛି ସମୟ । ସତରେ ମୋ ପାଖରେ ସେ ପ୍ରଶ୍ନର ଉତ୍ତର ନଥିଲା । ଦିନସାରା ବ୍ୟସ୍ତତା ଭିତରେ ମଧ୍ୟ ସେ ପ୍ରଶ୍ନ ଆନ୍ଦୋଳିତ କରୁଥିଲା ମତେ ।
ଏବେ ପ୍ରଶ୍ନ ଆମ ସମସ୍ତଙ୍କ ପାଇଁ । ଆମେ କଣ ରୋକି ପାରିବନି ଏ ସାମାଜିକ ଅସମାନତାକୁ? ଆମେ କ'ଣ ଜଣକର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରି ପାରିବାନି? ରୋକି ପାରିବନି ଅସମୟରେ ଅଭାବରେ ଝରିପଡ଼ୁଥିବା ଜୀବନକୁ? କାହାର ଆଙ୍ଗୁଳି ଧରି ଗୋଟେ ନୂତନ ଜୀବନ ଦେଇ ପାରିବାନି? ଥରେ ଆଖିବନ୍ଦ କରି ଚିନ୍ତା କରନ୍ତୁ ତ ! ସତରେ କଣ ସେମାନେ ରହିଯିବେ ସମାଜର ଆଉ ଏକ ‘ସମ୍ପ୍ରଦାୟ’ ହୋଇ???
- ତାପସ ରଞ୍ଜନ
No comments:
Post a Comment