ଗୌତମ ବୁଦ୍ଧ ଦିନେ କଥା ଦେଇଥିଲେ ଆସିବାକୁ ବୈଶାଳୀର ପ୍ରସିଦ୍ଧ ସମ୍ଭ୍ରାନ୍ତ ନଗରବଧୁ ଆମ୍ରପାଲୀର କୁଟିରକୁ । ଆଜି ସେ ଆସୁଛନ୍ତି, ଏ ସମ୍ବାଦ ଶୁଣି ଆମ୍ରପାଲୀର ମନରେ ସୃଷ୍ଟି ହୋଇଥିବା ଭାବନାର ପ୍ରତିଫଳନ “ମହାନିର୍ବାଣ”
(ଆମ୍ରପାଲୀକୁ ପୌରାଣିକ ଓ ଐତିହାସିକ ଦୃଷ୍ଟିକୋଣରୁ ନ ଦେଖି ଜଣେ ସାଧାରଣ ନାରୀର ଭାବାବେଗ ଦୃଷ୍ଟିରେ ଦେଖିବାକୁ ଅନୁରୋଧ !)
ମୁହୂର୍ତ୍ତ ସବୁ ମନ୍ତ୍ର ହୋଇ ଝରିଯାଉଛି
ଗୁଞ୍ଜରିତ ହେଉଛି ମହାନିର୍ବାଣର ସ୍ୱର
ଦିଗବଳୟ ଭରିଯାଉଛି ରକ୍ତିମ ଆଭାରେ
ଫେଣ୍ଟି ହୋଇଯାଉଛି ମଧୁ ସ୍ନିଗ୍ଧ ସମିରଣେ
ପ୍ରତିଡାଳୁ ଭାସିଆସୁଛି ମହାମିଳନର ସ୍ୱର
ଆନନ୍ଦାଶ୍ରୁ ପ୍ରସମିତ କରୁଛି ପ୍ରତିକ୍ଷାର ଜ୍ୱାଳା
ଶୀତଳତା ଭରିଯାଉଛି ମନ ଅଗଣାରେ
ସତରେ ତୁମେ ଆସୁଛ ଗୌତମ???
ଆମ୍ରପାଲୀର ଅଗଣାକୁ ପବିତ୍ର କରିବାକୁ?
କରୁଣାର ପ୍ଳାବନରେ ପ୍ଳାବିତ କରିବ
କାମନାର କଳଙ୍କରେ କଳଙ୍କିତ ଶରୀରକୁ, ଆତ୍ମାକୁ?
ମୋ ମନର ଉତ୍ତାଳ ତରଙ୍ଗକୁ ଆଉ ଆୟତ୍ତ କରିହେଉନି ସିଦ୍ଧାର୍ଥ !
ଆଖିର ପ୍ଲାବନକୁ ବା କେମିତି ରୋକିବି କୁହ?
ବିଚ୍ଛୁରିତ କେଶରାଜୀ ଦୁଷ୍ଟହୋଇ ଉଠୁଛନ୍ତି
ପ୍ରକମ୍ପିତ ଓଠ ଲୁଚାଇବାକୁ ଚେଷ୍ଟା କରୁଛି ତୁମ ମହୀମା ମଣ୍ଡିତ ବାକ୍ୟ ସବୁକୁ
ଅସ୍ଥିର ପାଦ ବାରମ୍ବାର ଟାଣି ହୋଇଯାଉଛି ତୁମ ଆସିବା ବାଟ ଆଡ଼କୁ….
ସତରେ ତୁମେ ଆସିବ ନା????
କାହାର ଏ ପାଦ ଶବ୍ଦ ଶୁଭୁଛି?
ଶିଷ୍ୟ ମାନଙ୍କ ମେଳରେ ତୁମେ ନୁହଁ ତ??
କାହିଁକି ମୋ ହୃଦସ୍ପନ୍ଦନ ବଢ଼ି ଚାଲିଛି?
ଧମନୀରୁ ରକ୍ତ ସବୁ ବାହାରି ଆସିବକି ଆଉ !
ମୁଁ ଏତେ ଅସ୍ଥିର ହୋଇଉଠୁଛି କ'ଣ ପାଇଁ?
ଏଇ ତ ଦିଶିଲାଣି ଶୁଭ୍ରବସ୍ତ୍ରାବୃତ୍ତ ଶରୀର,
ହେଲେ ମୁଁ ଚାହିଁପାରୁନି କାହିଁକି?
ଲାଜରେ ଝାଉଁଳି ପଡ଼ୁଛି କ'ଣ ପାଇଁ?
ଏଥିପାଇଁ ତ ଥିଲା ଜନ୍ମ ଜନ୍ମାନ୍ତରର ପ୍ରତିକ୍ଷା
ମୁଁ ସମ୍ମୋହିତ ହୋଇ ଯାଉଛି କେମିତି ?
ହେ ଗୌତମ !
ଅର୍ଦ୍ଧମୁଦ୍ରିତ ଚକ୍ଷୁ ଉନ୍ମିଳନ କରି ଦେଖ ଥରେ
କରୁଣାର ବାରିଧାର ପ୍ରବାହିତ ହେଉ ଅଗଣାରେ
ଝରି ଯାଉ ପୁଣ୍ୟର ରଶ୍ମି ସବୁ
ମଳିନ ହେଉ ଏ ଶାପିତ ଶରୀର
ଭଷ୍ମ ହେଉ ସବୁ କ୍ଲେଦ,ସବୁ ପାପ
ପ୍ରତି ଲୋମମୂଳୁ ଝଂକୃତ ହେଉ ମହାନିର୍ବାଣର ମନ୍ତ୍ର
ବୁଦ୍ଧଂ ଶରଣଂ ଗଚ୍ଛାମି
ଧର୍ମଂ ଶରଣଂ ଗଚ୍ଛାମି
ସଂଘଂ ଶରଣଂ ଗଚ୍ଛାମି ॥
* * *
(ବୈଶାଳୀ ରାଜ୍ୟର ଅମ୍ବରା ଗ୍ରାମରେ ଜନ୍ମନିଏ କନ୍ୟାଟିଏ । ନବପଲ୍ଲୋବିତ ଆମ୍ର ପତ୍ର ପରି କୋମଳ ଆଉ ସୁନ୍ଦର ଥିବାରୁ ବାପା-ମା ନାମ ରଖନ୍ତି ଆମ୍ରପାଲୀ । କିଶୋରୀ ଅବସ୍ଥାରୁ ତା ରୂପର ଖ୍ୟାତି ବ୍ୟାପିଯାଏ ସମଗ୍ର ସାମନ୍ତ ରାଜ୍ୟଟିରେ । ଆଉ ଯୌବନର ପ୍ରଥମ ପାହାଚରେ ପାଦ ଦେଉ ଦେଉ ତା ମହକରେ ମହକିଉଠେ ସାରା ରାଜ୍ୟ । ରାଜା ମନୁଦେବ ବା ବାଦପଡ଼ନ୍ତେ କିପରି? ରାଜା ବିମୁଗ୍ଧ ହୁଅନ୍ତି ଆମ୍ରପାଲୀର ରୂପ ଯୌବନରେ ଆଉ ଇଚ୍ଛା କରନ୍ତି ତା’ ଅଙ୍ଗ ସଙ୍ଗ ଲାଭ କରିବାକୁ । ହେଲେ ବିନମ୍ରତାର ସହ ପ୍ରତ୍ୟାକ୍ଷାନ କରେ ସେ । ଫଳ ସ୍ୱରୁପ, ପରିଣୟ ଦିନ, ରାଜା ବଧ କରନ୍ତି ତା’ର ଚିର ଇପ୍ସିତ ପ୍ରିୟତମକୁ,ନିଜ ଯୌନ ପିପାଶା ଚରିତାର୍ଥ କରନ୍ତି ଆଉ ଘୋଷଣା କରି ସଜେଇ ଦିଅନ୍ତି ‘ନଗର ବଧୁ’ ଭାବେ ।
ସେଇଠୁ ଆରମ୍ଭ ହୁଏ ଭିନ୍ନ ଏକ ପଥର ଯାତ୍ରା । ଆସିଛନ୍ତି କେତେ କେତେ ସାମନ୍ତ ରାଜା,ରାଜପୁତ୍ର ଓ ସମ୍ଭ୍ରାନ୍ତ ଗଣ ଆଉ ତାଙ୍କରି କଳଙ୍କ କୁ ବୋଳିଦେଇଛି ନିଜ ଦେହରେ ଇଚ୍ଛା ନଥିଲେ ବି ହସି ହସି । ଭୁଲି ଯାଇଛି କ୍ରମେ ନିଜକୁ, ନିଜ ଇଚ୍ଛାକୁ ଆଉ ପାଲଟିଛି ‘ଜନପଦ କଲ୍ୟାଣୀ’ । ରାଜ୍ୟର ସବୁଠାରୁ ସୁନ୍ଦରୀ ଆଉ ଗୁଣଯୁକ୍ତ ନାରୀ । ଶୋଭାବର୍ଦ୍ଧନ କରିଛି ରାଜମହଲର । ସାଜିଛି ରାଜନର୍ତ୍ତକୀ,ପରିବେଷଣ କରିଛି ନୃତ୍ୟ ସଂଗୀତ । ପାଇଛି ନିଜ ଇଚ୍ଛାରେ ଯୌନସଂଗୀ ନିର୍ଣ୍ଣୟ କରିବାର ଅଧିକାର….ଧନସମ୍ପତି, ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟ ର ପାହାଡ଼ ଉପରେ ଥାଇ ବି ସୁଖି ହେଇପାରିନି, ଜଳିଛି ତିଳ ତିଳ ହୋଇ,ପ୍ରତିଦିନ ପ୍ରତି ମୁହୁର୍ତ୍ତ କାମନାର ଜ୍ୱାଳାରେ ।
କ୍ରମେ ମଧୁଶିକ୍ତ ଭ୍ରମର ପରି ଉଡିଆସନ୍ତି ମଗଧର ମହାରାଜା ବିମ୍ବିସାର, ଅବସ୍ଥାନ କରନ୍ତି ଛଦ୍ମବେଶରେ ତା ଆମ୍ରକୁଞ୍ଜରେ । ପ୍ରସମିତ କରନ୍ତି ନିଜ ଦେହର କ୍ଷୁଧା ଓ ପ୍ରତାରିତ କରନ୍ତି ତା ଶରୀରକୁ, ମନକୁ ଆଉ ପ୍ରେମକୁ । ପରେ ପରେ ଆସନ୍ତି ଅଜାତଶତୃ,ବିମ୍ବିସାରଙ୍କ ଜ୍ୟେଷ୍ଠ ପୁତ୍ର ବୈଶାଳୀ ଆକ୍ରମଣ ଇଚ୍ଛାରେ । ହେଲେ ବିମୋହିତ ହୁଅନ୍ତି ଆମ୍ରପାଲୀର ରୂପମାଧୁର୍ଯ୍ୟରେ ଆଉ ହରାଇ ବସନ୍ତି ନିଜ ସଞ୍ଜମତା…
ବାରମ୍ବାର କାମନାର ଦଂଶନରେ କ୍ଷତାକ୍ତ ଓ ଯନ୍ତ୍ରଣାର ଜ୍ୱାଳାରେ ଜର୍ଜରିତ ମନ ଓ ଶରୀରକୁ ଶାନ୍ତି ଦେବାକୁ ଚାହେଁ ସେ । ଇଚ୍ଛାକରେ ଦିବ୍ୟପୁରୁଷ ଗୌତମଙ୍କୁ ନିଜ ଅତିଥିଭାବେ ଆଉ ଆମନ୍ତ୍ରଣ କରେ ନିଜ କୁଟିରକୁ । ନିଜ ଶରୀରର କାମନାକୁ ଚରିତାର୍ଥ କରିବାପାଇଁ ନୁହେଁ ବରଂ ନିଜ ଅଶାନ୍ତ ମନକୁ ଶାନ୍ତି ଦେବାକୁ, କଳଂକିତ ଶରୀରକୁ ପବିତ୍ର କରିବାକୁ । କାରଣ ସେ ଜାଣିଥିଲା ଗୌତମ ହିଁ ଦେଇପାରିବେ ତାକୁ ଏଥିରୁ ମୁକ୍ତି,ଶାନ୍ତି । ସେ ହିଁ ଦେଖେଇ ପାରିବେ ସେ ଦିବ୍ୟପଥ, ଯେଉଁ ପଥର ଅନୁଗାମୀ ହେବା କୋଟି ତପସ୍ୟାର ପୁଣ୍ୟ ଫଳ । ସେ ହିଁ କରିପାରିବେ ଏ କ୍ଳେଦଯୁକ୍ତ, କାମନାର କଳଙ୍କରେ କଳଙ୍କିତ ଶରୀରକୁ, ମନକୁ ପବିତ୍ର । ହାତଧରି ଉଠେଇନେବେ ସେ, କରୁଣାର ବାରିରେ ପ୍ଲାବିତ କରିବେ ଯେଉଁ ବାରିରେ ଉଦବୃତ୍ତ ହେଉଥିଲା ମଗଧ, ବୈଶାଳୀ ଓ ସାରା ଆର୍ଯ୍ୟବର୍ତ୍ତ । ଏହାହିଁ ଥିଲା ଇଚ୍ଛା….
ଜଣେ ‘ନଗର ବଧୁ’ ତଥା ‘ଜନପଦ କଲ୍ୟାଣୀ’ର ଇଚ୍ଛାକୁ, ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିପାରିଲେନି ଗୌତମ । ନିଜ ଶିଷ୍ୟ ମାନଂକ ବାରଣ ସତ୍ୱେ, ପ୍ରକୃତ ସତ୍ୟ ଜାଣି ବି, ରକ୍ଷାକଲେ ପ୍ରତିଶୃତି । ଆତିଥ୍ୟ ଗ୍ରହଣ କଲେ ଆମ୍ରପାଲୀର…….)))
No comments:
Post a Comment